Breaking Newsରାଜ୍ୟ

୬ରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଆରମ୍ଭ ହେବ ଜଳସେଚନ

କଲମପୁର: ଆସନ୍ତା ସୋମବାରଠାରୁ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‍ ପ୍ରକଳ୍ପ ତରଫରୁ ଆରମ୍ଭ ହେବ ଜଳସେଚନ। ଏହି ଜଳସେଚନ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡର ଜୟପାଟଣା, କଲମପୁର, ଜୁନାଗଡ, ଧର୍ମଗଡ ବ୍ଲକର ୮୦ରୁ ୯୦ ପ୍ରତିଶତ ଚାଷ ଜମି ଜଳସେଚନ ସୁବିଧା ପାଇବାର ବ୍ୟବସ୍ଥା ଥିବା ବେଳେ କୋକସରା, ଗୋଲାମୁଣ୍ଡା ସମେତ ଶଗଡା ସମ୍ପ୍ରସାରଣ କେନାଲ ଦ୍ୱାରା ଭବାନିପାଟଣା ବ୍ଲକର କିଛି ଚାଷ ଜମି ମଧ୍ୟ ଜଳସେଚନ ସୁବିଧା ପାଇବେ।

ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଓ ଏହାର ସମ୍ପ୍ରସାରଣ କେନାଲ ମାଧ୍ୟମରେ ଜୟପାଟଣା, କଲମପୁର, କୋକସରା, ଜୁନାଗଡ, ଧର୍ମଗଡ ଓ ଗୋଲାମୁଣ୍ଡାର ୫୯.୦୬୯ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ। ସେହିଭଳି ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ଜୟପାଟଣା, କଲମପୁର, ଜୁନାଗଡ ସମେତ ଶଗଡା ସମ୍ପ୍ରସାରଣ କେନାଲ ମାଧ୍ୟମରେ ୨୮,୩୪୮ ହେକ୍ଟର ଚାଷ ଜମିରେ ଜଳସେଚନ କରାଯିବ।

ଇନ୍ଦ୍ରାବତୀ ଉଠା ଜଳସେଚନ ମାଧ୍ୟମରେ ଜୟପାଟଣା ବ୍ଲକର ୫୪୦୦ ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇ ଦିଆଯିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଶଗଡା ସମ୍ପ୍ରସାରଣ କେନାଲ ମାଧ୍ୟମରେ ପ୍ରାୟ ୩ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହେଇଥିବା ଉଠା ଜଳସେଚନରୁ ୫,୪୦୦ ହେକ୍ଟର ଚାଷ ଜମିରେ ଜଳ ସେଚନ କରାଯିବ। ଉଠା ଜଳ ସେଚନ ଓ ଦକ୍ଷିଣ ମୁଖ୍ୟ କେନାଲର ସମ୍ପ୍ରସାରଣ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଆହୁରି ପ୍ରାୟ ୮୦ ହଜାର ହେକ୍ଟର ଚାଷ ଜମିର ଚାଷୀ ଜଳ ସେଚନର ସୁବିଧା ପାଇବେ।

ମତାମତ ଦିଅନ୍ତୁ ।

Back to top button