୯୫% କଲେଜରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ

ଭୁବନେଶ୍ୱର : କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛି। କିନ୍ତୁ ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଗୃହ ବିଭାଗ ରିପୋର୍ଟ ମାଗିବା ପରେ ଉଚ୍ଚଶିକ୍ଷା ବିଭାଗ ସରକାରଙ୍କ ନିୟନ୍ତ୍ରଣରେ ରହିଥିବା କଲେଜର ଗୁଡିକର ତଥ୍ୟ ଦେଇଛି। ଯେଉଁଥିରୁ ଜଣାପଡ଼ିଛି ପ୍ରାୟ ୯୫ ପ୍ରତିଶତ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୋଇନି।

ସୂଚନା ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଗ୍ନି ନିରାପତ୍ତା ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚଳିତବର୍ଷ ଅଗଷ୍ଟ ୨୯ତାରିଖରେ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ କେଉଁ ବର୍ଗର କଲେଜ କେଉଁଠାରେ ରହିଛି ତାହାର ତଥ୍ୟ ଦେବାକୁ କୁହାଯାଇଥିଲା। ଆଜି ଉଚ୍ଚଶିକ୍ଷା ବିଭାଗ ଦେଇଥିବା ତଥ୍ୟରେ ରାଜ୍ୟରେ ଗୋଟିଏ ଜାତୀୟ ବିଶ୍ୱବିଦ୍ୟାଳୟ ସମେତ ୫ଟି ଘରୋଇ ଓ ୧୨ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ରହିଛି। ଏହା ବ୍ୟତୀତ ୫୪ଟି ସରକାରୀ କଲେଜ, ୨୧୪ଟି ସହାୟତାପ୍ରାପ୍ତ କଲେଜ, ୧୯୯ଟି ବ୍ଲକଗ୍ରାଣ୍ଟ୍ କଲେଜ, ୩୭୩ଟି ଅଣଅନୁଦାନପ୍ରାପ୍ତ କଲେଜ ଓ ୨୧୨ଟି ସେଲ୍ଫ ଫାଇନାନ୍ସ କଲେଜ ରହିଥିବା ବେଳେ ପ୍ରାୟ ୯୫ ପ୍ରତିଶତ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡ଼ିଛି। ତେଣୁ ତୁରନ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ଏସବୁ କଲେଜକୁ ନୋଟିସ୍ କରାଯିବ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।