୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ବାତ୍ୟା ନେଇ ସ୍ପଷ୍ଟ ସୂଚନା ନାହିଁ

0

ଭୁବନେଶ୍ଵର : ଚଳିତମାସ ୧୩ ତାରିଖ ବେଳକୁ ଏକ ବାତ୍ୟା ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକାର ଗ୍ଲୋବାଲ୍‌ ଫୋର୍‌କାଷ୍ଟ୍‌ ମଡେଲର ସୂଚନା ଅନୁଯାୟୀ ମେ’ ୧୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୧୨ ତାରିଖ ବେଳକୁ ଲଘୁଚାପ ଓ ପରେ ଅଧିକ ଘନୀଭୂତ ହୋଇ ୧୩ ତାରିଖ ଆଡ଼କୁ ବାତ୍ୟାର ରୂପ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ଆଶଙ୍କା ରହିଛି। କିନ୍ତୁ ଆଉ କିଛି ମଡେଲ ଆକଳନ ହେଲା ଏହା କେବଳ ଘୂର୍ଣ୍ଣିବଳୟରେ ସୀମିତ ରହିବ। ବାତ୍ୟାର ରୂପ ନେବାର ସମ୍ଭାବନା ନାହିଁ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଓଡ଼ିଶାକୁ ବାତ୍ୟାର ସମ୍ଭାବନା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ନାହିଁ। ବଙ୍ଗୋପସାଗରରେ ସେଭଳି କିଛି ସିଷ୍ଟମ୍‌ ସୃଷ୍ଟି ହେଲେ ଆମେ ଖୁବ୍‌ ଶୀଘ୍ର ସୂଚନା ଦେବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ୧୦ ଓ ୧୧ ତାରିଖ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। କିନ୍ତୁ ଏହା ବାତ୍ୟା ରୂପ ନେବା ବୋଲି କୌଣସି ସମ୍ଭାବନା ଏଯାଏ ପ୍ରକାଶ ପାଇ ନାହିଁ। ମୌସୁମୀ ଆସିବା ପୂର୍ବରେ ଏମିତି ଅନେକଗୁଡ଼ିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ଆଉ ଏସବୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିବାରେ ସାହାଯ୍ୟ କରେ। ତେବେ ସାମ୍ଭାବ୍ୟ ଘୂର୍ଣ୍ଣିବଳୟ କେଉଁ ରୂପ ନେବ ୩/୪ ଦିନ ପରେ ସ୍ପଷ୍ଟ ସୂଚନା ମିଳିବ। ଏବେ ବାତ୍ୟା ନେଇ କୌଣସି ସୂଚନା ନଥିବା ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.