Breaking Newsରାଜ୍ୟ

୧୦ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସନ୍ତା ୯ତାରିଖରେ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି କରିଛନ୍ତି। ବର୍ଷା ପାଇଁ ଉପୁଜିବାକୁ ଥିବା ସ୍ଥିତି ପ୍ରତି ସତର୍କ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ। ଏହାଛଡା ସମସ୍ତ ବିଭାଗର ସଚିବ, ଆରଡିସି, ପୋଲିସ ପ୍ରଶାସନ, ଏନଡିଆରଏଫ ଓ ଓସଡ଼ମା ନିର୍ବାହୀ ନିର୍ଦ୍ଦେଶକଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି।

ବୁଧବାର ଶ୍ରୀ ଜେନା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗର ଉତ୍ତର-ପଶ୍ଚିମ ଭାଗରେ ଏକ ଲଘୁଚାପ ଘନୀଭୂତ ହୋଇଛି। ବଙ୍ଗୋପସାଗରର ଉତ୍ତର ଦିଗରେ ଆସନ୍ତା ୯ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ସହିତ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ସେଥିପାଇଁ ସମ୍ଭାବ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସହରାଂଚଳରେ ଜଳବନ୍ଦୀ ଅଂଚଳ ସହ ସମସ୍ତ ପ୍ରକାରର ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି ହୋଇଛି। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ,ବାଲେଶ୍ୱର ନବରଙ୍ଗପୁର, କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୬ତାରିଖରୁ ୭ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା, ୮ତାରିଖରୁ ୯ ତାରିଖ ସକାଳ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୯ରୁ ୧୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ମତାମତ ଦିଅନ୍ତୁ ।

Back to top button