୧୧ କୋଟି ଲୋକଙ୍କ ଡାଟା ଲିକ୍ : ଆରବିଆଇର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଡିଜିଟାଲ ଉପାୟରେ ଟଙ୍କା ଲେଣଦେଣ ସୁବିଧା ଦେଉଥିବା ମୋବିକ୍ବିକ୍ କମ୍ପାନୀ ବିରୋଧରେ ଆସିଛି ୧୧ କୋଟି ୟୁଜରଙ୍କ ଡାଟା ଲିକ୍ ଅଭିଯୋଗ। ଏହି ମାମଲାର ଯାଞ୍ଚ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି। ଯଦି ଅଭିଯୋଗ ପ୍ରମାଣିତ ହୁଏ ତେବେ କମ୍ପାନୀର ଠାରୁ ଜରିମାନା ଆଦାୟ କରାଯିବ ବୋଲି ଆରବିଆଇ ଚେତାବନୀ ଦେଇଥିବା ସୂଚନା ମିଳିଛି।
ଖବର ଅନୁଯାୟୀ ମାମଲାର ଫରେନ୍ସିକ୍ ଅଡିଟି ପାଇଁ ଏକ ବାହାର କମ୍ପାନୀକୁ ଦାୟିତ୍ଵ ଦେବାକୁ ଆରବିଆଇ ମୋବିକ୍ବିକ୍କୁ ନିଏଦ୍ଦେଶ ଦେଇଛି। ନିୟମ ଉଲ୍ଲଂଘନ କରିଥିବା ଜଣାପଡିଲେ କମ୍ପାନୀ ଉପରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। କିନ୍ତୁ ଅଭିଯୋଗ ନେଇ ମୋବିକ୍ବିକ୍ ପକ୍ଷରୁ ମିଡିଆକୁ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ।
ପୂର୍ବରୁ କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଥିଲା ୟୁଜର୍ସ ବିଭିନ୍ନ ପ୍ଲାଟଫର୍ମରେ ଡାଟା ଅପଲୋଡ୍ କରୁଛନ୍ତି। ତେଣୁ ଏମିତି କହିବା ଭୁଲ ହେବ ସମସ୍ତ ଡାଟା କେବଳ ପେମେଣ୍ଟ କମ୍ପାନୀ ଚୋରୀ କରୁଛି। ଏହାଛଡା ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗମ୍ଭୀରତାର ସହ ନିଆଯାଉଛି ବୋଲି କମ୍ପାନୀ କହିଥିଲା। ମୋବିକ୍ବିକ୍ ୧୨୦ ମିଲିୟନ୍ ୟୁଜରଙ୍କ ସହ ପେଟିଏମ ଓ ଗୁଗୁଲ୍ ପେମେଣ୍ଟ ଭଳି ସେବା ପ୍ରଦାନକାରୀ କମ୍ପାନୀକୁ ଟକ୍କର ଦେଉଛି। ହେଲେ ୟୁଜର୍ସଙ୍କ ଡାଟା ସୁରକ୍ଷିତ ନଥିବା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।