୧୩ଟି ଗାଁ ଲୋକଙ୍କ ଜମି ହଡ଼ପ : ଆନ୍ଦୋଳନ ଚେତାବନୀ ଦେଲେ ସୁର

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ଅନେକ ମୂଲ୍ୟବାନ ଜମିକୁ ସରକାର ଶାଗମାଛ ଦରରେ ଇଡକୋ ମାଧ୍ୟମରେ ବିକ୍ରି କରୁଛନ୍ତି। ଜଟଣୀ ମ୍ୟୁନିସପାଲଟି ଓ ତା’ର ପାଶ୍ୱର୍ବର୍ତ୍ତୀ ୧୩ଟି ଗାଁ ଲୋକଙ୍କ ସ୍ଥିତିବାନ ଜମିକୁ ହଡ଼ପ କରାଯାଇଛି। ସମସ୍ତଙ୍କୁ ସରକାରୀ ସୁବିଧାସୁଯୋଗରୁ ବଂଚିତ ହେବାକୁ ପଡ଼ୁଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ଶୁଣୁନାହାନ୍ତି। ଯଦି ମାର୍ଚ୍ଚ ୧ ପୂର୍ବରୁ ସମସ୍ୟାର ସମାଧାନ ନହୁଏ ତେବେ ଲୋକେ ଭୁବନେଶ୍ୱର ଆସି ଲୋକସେବା ଭବନ ଘେରାଉ କରିବେ। ଏହି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ।
ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ୧୮ ହଜାର କୋଟି ଟଙ୍କାର ମୂଲ୍ୟବାନ ଜମିକୁ ୫ ହଜାର କୋଟି ଟଙ୍କାରେ ବିକ୍ରି କରାଯାଇଛି। ଏ ବାବଦରେ ହଜାର ହଜାର କୋଟି ଟଙ୍କା ଆତ୍ମସାତ ହୋଇଛି। ସରକାରୀ ଜାଗା ଇଡକୋକୁ ନଦେଇ ଗାଁରେ ଖେଳ ପଡ଼ିଆ, ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ ଓ ଜଙ୍ଗଲ ସୃଷ୍ଟି କରାଯାଉ ବୋଲି ସେ ଦାବି କରିଛନ୍ତି। ଆଉ ଦାବି କରିଛନ୍ତି ଏହି ଜମି ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ବିବେକାନନ୍ଦ ବଡଜେନା, ବିଭୂତିଭୂଷଣ ସାମନ୍ତରାୟ ଓ ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।