୧୫ ଦିନରେ ଭଲ ବର୍ଷା ନହେଲେ ୪ଟି ଜିଲ୍ଲାରେ ଚାଷ ପ୍ରଭାବିତ ହେବ

ଭୁବନେଶ୍ୱର : ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ ସମୟରେ ପ୍ରବେଶ କରିଥିଲେ ମଧ୍ୟ ଆଶା ଅନୁଯାୟୀ ବର୍ଷା ହୋଇନି। ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଜୁନ୍‌ ୧ରୁ ଜୁଲାଇ ୧୩ ମଧ୍ୟରେ ରାଜ୍ୟରେ ୨୭୩.୬ ମିମି ଅର୍ଥାତ ସ୍ୱାଭାବିକ ଠାରୁ ୨୧ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ଏହି ସମୟରେ କୋରାପୁଟରେ ସର୍ବାଧିକ ୩୭୦.୩ ମିମି ବର୍ଷା ଓ ଭଦ୍ରକରେ ସବୁଠାରୁ କମ ୧୩୧.୧ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନଗରଙ୍ଗପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ୨୦ରୁ ୫୯ ପ୍ରତିଶତ କମ ବର୍ଷା ହୋଇଛି।

ଆହୁରି କୁହାଯାଇଛି ୧୭ଟି ଜିଲ୍ଲା ମଧ୍ୟରୁ ୪ଟି ଜିଲ୍ଲା କେନ୍ଦୁଝର, ଗଞ୍ଜାମ, ଯାଜପୁର ଓ ଭଦ୍ରକରେ ଆସନ୍ତା ୧୫ ଦିନ ମଧ୍ୟରେ ଭଲ ବର୍ଷା ନ ହେଲେ ଚାଷ ପ୍ରଭାବିତ ହେବ ବୋଲି ପାଣିପାଗ ବିଜ୍ଞାନୀ ଏଚଆର ବିଶ୍ୱାସ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦୁଝର, ଭଦ୍ରକ, ଯାଜପୁର ଓ ଗଞ୍ଜାମ ଜିଲ୍ଲାରେ ସ୍ୱାଭାବିକ ଠାରୁ ୪୦ ପ୍ରତିଶତରୁ ଅଧିକ ପରିମାଣର କମ ବର୍ଷା ହୋଇଥିବା ବେଳେ ୧୩ ଜିଲ୍ଲାରେ ମୌସୁମୀ ବର୍ଷା ସ୍ୱାଭାବିକ ରେକର୍ଡ କରାଯାଇଛି। ସ୍ୱାଭାବିକ ବର୍ଷା ହୋଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବରଗଡ଼, ନୂଆପଡ଼ା, କୋରାପୁଟ ଓ ମାଲକାନଗିରି।

ସମ୍ବନ୍ଧିତ ଖବର
between image and heading

Comments are closed.