୧୯ରୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ : ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇବାରୁ ରାଜ୍ୟ ସରକାର କଟକଣାକୁ ଆହୁରି କଡାକଡି କରିଛନ୍ତି। ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟକର୍ଫ୍ୟୁ ଓ ସାପ୍ତାହିକ ସଟଡାଉନ୍ ସହିତ ଅନ୍ୟ ୨୦ଟି ଜିଲ୍ଲାରେ ଲାଗୁହେବ ନାଇଟ୍ କର୍ଫ୍ୟୁ କଟକଣା। ଏହାଛଡା ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ସରକାରୀ ଓ ଘରୋଇ ଅଫିସ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ।

ଗୁରୁବାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନ ଅନୁଯାୟୀ ଆସନ୍ତା ୧୯ତାରିଖରୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ। କେବଳ ରାଜ୍ୟ ଭିତରେ ବସ୍ ଚଳାଚଳ କରିବ। ହେଲେ ବସରେ ଛିଡ଼ା ହୋଇ ଯାତ୍ରୀ ଯାଇପାରିବେ ନାହିଁ। ଯେତିକି ସିଟ୍ ସେହି ସଂଖ୍ୟକ ଯାତ୍ରୀ ଯିବେ। ଟ୍ୟାକ୍ସି ଓ ଅଟୋ ରିକ୍ସାରେ ସର୍ବାଧିକ ୨ ଜଣ ଯାତ୍ରୀଙ୍କୁ ଯିବାକୁ ଅନୁମତି ମିଳିବ। ସିନେମା ହଲରେ ସିଟ୍ କ୍ଷମତାର ୫୦ ପ୍ରତିଶତ ଆସନରେ ଦର୍ଶକଙ୍କୁ ମିଳିବ ଅନୁମତି। ଅପେରା ଓ ଯାତ୍ରା ଏକ ହଜାର ଲୋକଙ୍କୁ ନେଇ ଚାଲିପାରିବ। ସ୍ଥାନୀୟ ଜିଲ୍ଲାପାଳମାନେ ସ୍ଥିତିକୁ ଦେଖି ଯାତ୍ରା ଓ ଅପେରା ପାଇଁ ଅନୁମତି ଦେବେ।

ସେହିପରି ରାଜ୍ୟର ସମସ୍ତ ସରକାରୀ ଅଫିସ ଗୁଡ଼ିକରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବ। ଘରୋଇ ସଂସ୍ଥାର ଅଫିସ ଓ ବ୍ୟାଙ୍କଗୁଡ଼ିକରେ ଯଥାସମ୍ଭବ କମ୍ କର୍ମଚାରୀରେ କାମ କରିବେ। ଧାର୍ମିକ, ସାଂସ୍କୃତିକ, ରାଜନୀତିକ ସଭା ଓ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ମନ୍ଦିରରେ କେବଳ ସେବକଙ୍କୁ ନେଇ ନୀତିକାନ୍ତି ପାଳନ ହେବ। ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଜିଲ୍ଲାପାଳମାନେ ଧାର୍ମିକ ଅନୁଷ୍ଠାନର ସ୍ଥିତିକୁ ଦେଖି ଆବଶ୍ୟକ ନିଷ୍ପତ୍ତି ନେବେ। ହାଟ ବଜାରରେ ପୂର୍ବଭଳି ବ୍ୟବସାୟୀମାନେ ଦୂରେଇ ବସି ବ୍ୟବସାୟ କରିବେ। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

Leave a Reply

Your email address will not be published. Required fields are marked *

Back to top button