୨୦୨୧-୨୨ରେ ସରକାରୀ କର୍ମଚାରୀଙ୍କୁ ମିଳିବନି ଏଲଟିସି

ଭୁବନେଶ୍ୱର : ମହାମାରୀ କରୋନାର ପ୍ରଭାବ ରାଜ୍ୟ ରାଜକୋଷ ଉପରେ ପଡ଼ିଥିବାରୁ ୨୦୨୨ ମାର୍ଚ୍ଚ ଶେଷଯାଏ ରାଜ୍ୟ ସରକାର ଆର୍ଥିକ କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ୨୦୨୧-୨୨ ଆର୍ଥିକ ବର୍ଷରେ ଏଲଟିସି (ଲିଭ୍ ଟ୍ରାଭେଲ କନସେସନ) ସୁବିଧା ମିଳିବ ନାହିଁ। ପରିବାର ସହ ଅନ୍ୟତ୍ର ଛୁଟି ବିତାଇବା ନିମନ୍ତେ କର୍ମଚାରୀମାନେ ଏଲଟିସି ଉପଯୋଗ କରୁଥିବାବେଳେ ଚଳିତବର୍ଷ ମଧ୍ୟ ଏହି ସୁବିଧାକୁ ସ୍ଥଗିତ ରଖାଯାଇଛି।

ସୂଚନା ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍ ପ୍ରସ୍ତୁତ ନିମନ୍ତେ ଅର୍ଥ ବିଭାଗ ପକ୍ଷରୁ ବିଭାଗଗୁଡ଼ିକୁ ଗାଇଡଲାଇନ ଦିଆଯାଇଛି। କରୋନାକୁ ଦୃଷ୍ଟିରେ ରଖି ୨୦୨୦ ଜୁଲାଇ ୭ତାରିଖରେ ରାଜ୍ୟ ସରକାରଙ୍କ ଆର୍ଥିକ କଟକଣା ନିଷ୍ପତ୍ତି ୨୦୨୨ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ କର୍ମଚାରୀଙ୍କୁ ଏଲଟିସି ସୁବିଧା ମିଳିବ ନାହିଁ। ଅବଶ୍ୟ ବାର୍ଷିକ ୩ ପ୍ରତିଶତ ଇନକ୍ରିମେଣ୍ଟ ଜାରି ରହିବ। ମହଙ୍ଗା ଭତ୍ତାକୁ ମୂଳ ଦରମାର ୨୮ ପ୍ରତିଶତ କରିବାକୁ ୨୦୨୧-୨୨ ବାର୍ଷିକ ବଜେଟରେ ଆବଶ୍ୟକ ଅର୍ଥବରାଦ ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି କର୍ମଚାରୀମାନଙ୍କୁ ଘରଭଡ଼ାବାବଦରେ ମୂଳ ଦରମାର ୧୨ ପ୍ରତିଶତ କିମ୍ବା ୨୦୧୯-୨୦ରେ ପାଉଥିବା ଘରଭଡ଼ାର ଦ୍ୱିଗୁଣ ମଧ୍ୟରୁ ଯେଉଁଟି କମ୍ ଥିବ ତାହା ଦେବାକୁ ବିଭାଗଗୁଡ଼ିକ ବଜେଟରେ ବ୍ୟୟବରାଦ କରିବେ। କର୍ମଚାରୀମାନଙ୍କ ସପ୍ତମ ବେତନ କମିଶନ ବକେୟା ବଜେଟରେ କୌଣସି ବ୍ୟୟବରାଦ ନକରିବାକୁ କୁହାଯାଇଛି। କର୍ମଚାରୀମାନଙ୍କୁ କେବଳ କମ୍ପ୍ୟୁଟର କିଣିବା ପାଇଁ ଆଡ଼ଭାନ୍ସ ବା ଋଣ ମିଳିବ। ବିଭାଗରେ ଯେତିକି କର୍ମଚାରୀ ଏବେ କାମ କରୁଛନ୍ତି ସେମାନଙ୍କ ଲାଗି ବଜେଟରେ ଦରମା ପ୍ରାବଧାନ କରାଯିବ। ଖାଲି ପଡ଼ିଥିବା ପଦଗୁଡ଼ିକ ପାଇଁ ଦରମା ପ୍ରାବଧାନ କରାଯିବନାହିଁ।

ମତାମତ ଦିଅନ୍ତୁ ।