୨୦୨୧ରେ ଭାରତରେ କୋଭିଡ୍‌-୧୯ ସ୍ଥିତି ଭୟଙ୍କର ହେବ

ନୂଆଦିଲ୍ଲୀ: କ‌ରୋନା ସଂକ୍ରମଣ ଏବେ ଭାରତରେ ସାଂଘାତିକ ରୂପ ନେଲାଣି। ଦୈନିକ ସଂକ୍ରମଣ ଏବେ ୨୩ ହଜାରରୁ ଅଧିକ ରହୁଛି। କିନ୍ତୁ ଆଗକୁ ଭାରତରେ ଏହି ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ। ଯଦି କୋଭିଡ୍‌ ଟୀକା ନ ବାହାରେ ‌ତେବେ ୨୦୨୧ ପ୍ରାରମ୍ଭ ତଥା ମାର୍ଚ୍ଚ ‌-ମେ’ ମଧ୍ୟରେ ଭାରତରେ ଦୈନିକ ସଂକ୍ରମଣ ମାମଲା ୨ଲକ୍ଷ ୮୭ ହଜାରରେ ପହଞ୍ଚିଯିବ। ଏମ୍‌ଆଇଟି (ମାସାଚୁସେଟ୍‌ସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି)ର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।  

ଏହି ଅଧ୍ୟୟନ‌ରେ କୁହାଯାଇଛି ୨୦୨୧ ‌ଶୀତ ଶେଷ ସୁଦ୍ଧା ଭାରତରେ କରୋନା ସଂକ୍ରମଣ ମାମଲା ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଥିବ। ବିନା ଟୀକା ଏବଂ ଚିକିତ୍ସାରେ ବିଶ୍ବରେ ୨୪.୯ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବେ ଏବଂ ୧୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବ ବୋଲି ଏମ୍‌ଆଇଟି ଅଧ୍ୟୟନରୁ ଜଣାପଡ଼ିଛି। ଫେବ୍ରୁଆରୀ ୨୦୨୧ ବେଳକୁ ଆମେରିକା ବିଶ୍ବରେ ଦ୍ବିତୀୟ ପ୍ରଭାବିତ ରାଷ୍ଟ୍ର ହୋଇଥିବ। ସେତେବେଳକୁ ଭାରତ ଆମେରିକାକୁ ଟପି ପ୍ରଥମ ସ୍ଥାନରେ ରହିଥିବ। ଭାରତର ଦୈନିକ ସଂକ୍ରମଣ ମାମଲା ୨୦୨୧ ପ୍ରଥମ ଭାଗରେ ୨ ଲକ୍ଷ ୮୭ ହଜାର ଥିବ।  

ଅନ୍ୟପକ୍ଷରେ ଆମେରିକାରେ ଦୈନିକ ସଂକ୍ରମଣ ମାମଲା ସେତେବେଳେ ୯୫ ହଜାର ରହିବ। ସେହିପରି ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ମାମଲା ୨୧ ହଜାର, ଇରାନ୍‌ରେ ୧୭ ହଜାର ଏବଂ ଇଣ୍ଡୋନେସିଆରେ ୧୩ ହଜାରରେ ପହଞ୍ଚିଥିବ। ଏମ୍‌ଆଇଟି ବିଶେଷଜ୍ଞମାନେ କହିଛନ୍ତି, ଯେତିକି ସଂକ୍ରମଣ ମାମଲା ରିପୋର୍ଟ କରାଯାଉଛି ବାସ୍ତବ ମାମଲା ତା’ଠାରୁ ୧୨ ଗୁଣା ଅଧିକ। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୫୦ ପ୍ରତିଶତ ଅଧିକ ରହିବ।

ମତାମତ ଦିଅନ୍ତୁ ।