୨୦୨୧ରେ ଭାରତକୁ ଏକାଧିକ ଉତ୍ସରୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ : ୨୦୨୧ ଆରମ୍ଭରେ ଭାରତକୁ ମିଳିପାରେ ମହାମାରୀ କରୋନା ବିରୋଧୀ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏହି ଘୋଷଣା କରିଛନ୍ତି।

ମଙ୍ଗଳବାର ବୈଠକରେ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଦେଶରେ ଟିକା ବିତରଣକୁ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ଆମେ ଆଶା କରୁଛୁ ଆସନ୍ତା ବର୍ଷ ଆରମ୍ଭରେ ଦେଶକୁ ଏକରୁ ଅଧିକ ଉତ୍ସରୁ ଟିକା ମିଳିପାରେ। ଏହି ଟିକା ବଣ୍ଟନ କିପରି ଭାବେ କରାଯାଇ ପାରିବ ସେନେଇ ଯୋଜନା କରିବାକୁ ଆମର ବିଶେଷଜ୍ଞ ଗୋଷ୍ଠୀ ରଣନୀତି ପ୍ରସ୍ତୁତ କରୁଛନ୍ତି।

୨୦୨୦ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ କରୋନା ଭାଇରସ୍ ଟିକା ପଞ୍ଜିକରଣ ପାଇଁ ପ୍ରସ୍ତୁତ ହେବ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ହୁ) ଘୋଷଣା କରିବା ପରେ ଡକ୍ଟର ହର୍ଷବର୍ଦ୍ଧନ ଏହି ଘୋଷଣା କରିଛନ୍ତି। ହୁ’ର ମୁଖ୍ୟ ବୈଜ୍ଞାନିକ ଗଣମାଧ୍ୟମକୁ କହିଥିଲେ ୪୦ଟି କରୋନା ଟିକା କ୍ଲିନିକାଲ୍‌ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଥିମଧ୍ୟରୁ ୧୦ଟି ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ରହିଛି। କିନ୍ତୁ କରୋନା ଟିକା ପ୍ରସ୍ତୁତ କରିବା ଦୌଡ଼ରେ ଅନେକ ଦେଶ ରହିଥିବା ବେଳେ ଏପର୍ଯ୍ୟନ୍ତ କେହି ହୁ’ ଅନୁମ‌ୋଦିତ ତୃତୀୟ ପର୍ଯ୍ୟାୟ ପାର୍‌ କରିପାରିନାହାନ୍ତି।

ମତାମତ ଦିଅନ୍ତୁ ।