୨୪ରେ ବାତ୍ୟାର ରୂପନେବ ଲଘୁଚାପ

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ତାରିଖରେ ବାତ୍ୟା ‘ୟାସ’ରେ ପରିଣତ ହେବ। ଏହା କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁଇବ। ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ବାତ୍ୟା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ସଠିକ୍ ସାବ୍ୟସ୍ତ ହୋଇଛି।

ଶନିବାର ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ଆକଳନ କରିନାହୁଁ। ତେବେ ଆଉ ଗୋଟିଏ ପାଦ ଆଗକୁ ଯାଇ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଆକଳନ କରିଛୁ। ଆସନ୍ତାକାଲି କେଉଁଠି ଲ୍ୟାଣ୍ଡଫଲ କରିବ ତା’ର ଆକଳନ କରାଯାଇପାରିବ।

ସେ କହିଛନ୍ତି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ଏସବୁ ଅଞ୍ଚଳ ଅଶାନ୍ତ ରହିବ। ୨୪ ତାରିଖରୁ ୨୭ ତାରିଖ ଯାଏ ଉତ୍ତର ବଙ୍ଗୋପସାଗର ଓ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯିବା ଠିକ୍ ନୁହେଁ। ସେ କହିଛନ୍ତି ଅତି ଭୀଷଣ ବାତ୍ୟା ହୋଇଥିବାରୁ ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୬୫ କି.ମି ବେଗରେ ପବନ ବହିବ। ଘଣ୍ଟାପ୍ରତି ସର୍ବନିମ୍ନ ୧୨୦ କି.ମି ବେଗରୁ ପବନ ବହିବା ସହିତ ସ୍ଥଳ ବିଶେଷରେ ଏହାର ବେଗ ଘଣ୍ଟା ପ୍ରତି ୧୮୫ କି.ମି ହେବ।

Leave a Reply

Your email address will not be published. Required fields are marked *

Back to top button