୩ ସପ୍ତାହ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବ

ନୂଆଦିଲ୍ଲୀ : ଦେଶରେ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏହାପରେ ପ୍ରକୋପ ଧୀରେଧୀରେ କମିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ନ୍ୟାଶନାଲ ସୁପର ମଡେଲ ଅଭିଯାନରେ ସାମିଲ ଥିବା ଆଇଆଇଟି କାନପୁରର ମନିନ୍ଦର ଅଗ୍ରୱାଲ କହିଛନ୍ତି କାରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଆଧାରରେ ଆକଳନ କରିଛୁ। ଏହି ଅନୁସାରେ ମେ’ ୧୧ରୁ ୧୫ ଯାଏ ଦେଶରେ ପିକ୍‌ରେ ପହଞ୍ଚିବ କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ୩୩ରୁ ୩୫ ଲକ୍ଷ ରହିବ। ଯଦି ଏହି ପୂର୍ବାନୁମାନ ଠିକ ହୁଏ ତେବେ ଦେଶର ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଛି। ମେ’ ମଧ୍ୟଭାଗରେ କରୋନା ପିକ୍‌ରେ ପହଞ୍ଚିଲେ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ବହୁ ଅଧିକ ରହିପାରେ। ଗତବର୍ଷ ସେପ୍ଟେମ୍ବର ୧୭ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ରହିଥିଲା। ବର୍ତ୍ତମାନ ସ୍ଥିତିକୁ ଦେଖି ଅନୁମାନ କରାଗଲେ ମେ’ ମାସ୍‌ରେ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇବ।

ସେହିପରି ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଦିଲ୍ଲୀ, ହରିଆଣା, ରାଜସ୍ଥାନ ଓ ତେଲେଙ୍ଗାନାରେ କରୋନାର ପିକ୍‌ ଏପ୍ରିଲ ୨୫ରୁ ୩୦ ମଧ୍ୟରେ ଦେଖିବାକୁ ମିଳିବ। ଓଡ଼ିଶା, କର୍ଣ୍ଣାଟକା ଓ ବେଙ୍ଗଲରେ ମେ ୧ରୁ ୫ ତାରିଖ ମଧ୍ୟରେ କରୋନାର ଗତି ସର୍ବୋଚ୍ଚରେ ରହିବ। ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ମେ ୬ରୁ ୧୦ ତାରିଖ ମଧ୍ୟରେ ସଂକ୍ରମଣ ପିକ୍‌ରେ ରହିବ। ମହାରାଷ୍ଟ୍ର ଓ ଛତିଶଗଡ଼ରେ ଏବେ କରୋନା ପିକ୍‌ରେ ରହିଛି। ବିହାରରେ ଏପ୍ରିଲ ୨୫ ସୁଦ୍ଧା ସର୍ବୋଚ୍ଚରେ ରହିବ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button