୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘କାଳିଆ’ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିବା ନେଇ ଘୋଷଣା କରିଛନ୍ତି। ପବିତ୍ର ଓଡ଼ିଶା ଦିବସ ଅବସରରେ ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ୬୯୩ କୋଟି ୯୪ ଲକ୍ଷ ଟଙ୍କା। ରବି ଋତୁ ପାଇଁ ଏହି ଟଙ୍କା ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ଗୁରୁବାର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ପବିତ୍ର ଓଡିଶା ଦିବସ। ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଏହି ଅବସରରେ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କୁ ମୋର ଅଭିନନ୍ଦନ। ଆଜିଠାରୁ ମଧ୍ୟ ନୂଆ ଆର୍ଥିକ ବର୍ଷ ୨୦୨୧-୨୨ ଆରମ୍ଭ ହେଉଛି। ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ମୁଁ ଆଜି ନୂଆ ଆର୍ଥିକ ବର୍ଷ ଆରମ୍ଭ କରୁଛି।
ସେ କହିଲେ କାଳିଆ ଯୋଜନା ଆମର ଏକ ଗୁରୁତ୍ଵପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ ୭୦୦ କୋଟି ଟଙ୍କା ଜମା କରାଗଲା। କାଳିଆ ଯୋଜନାରେ ୩୪ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ସେହିପରି ୧୭ ଲକ୍ଷ ଜମିହୀନ ଗରିବ ଲୋକ ମଧ୍ୟ ଲାଭବାନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ଚାଷୀର ତ୍ୟାଗ ଓ ସ୍ଵାଭିମାନ ଆଜି ଓଡିଶାର ସ୍ଵାଭିମାନ ବୃଦ୍ଧି କରିଛି। ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି। କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି। ଚାଷୀକୁ ବିନା ସୁଧରେ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଆମର ଚାଷୀ ଭାଇଙ୍କୁ ଉତ୍ସାହିତ କରିଛି। ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ।
ଚାଷୀ ଆମ ଅର୍ଥନୀତିର ମହାଶକ୍ତି। କୋଭିଡ ସମୟରେ ଚାଷୀ ଭାଇ ଆମର ଅର୍ଥନୀତିକୁ ରକ୍ଷା କରିଛି। ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ। ମୁଁ ସବୁବେଳେ ଚାଷୀ ଭାଇଭଉଣୀମାନଙ୍କ ସହ ରହିଛି। ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି। ଦେଢଗୁଣ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍ଏସ୍ପି) କାହାର ଦୟା ନୁହେଁ। ଏହା ଚାଷୀର ହକ୍। ଚାଷୀକୁ ତାର ହକ୍ ଦେବାପାଇଁ ଆମର ଲଢେଇ ଜାରି ରହିଛି। ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ଵ ନିଷ୍ଠାର ସହ କରିଚାଲିଛି। ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଉଛି। ମାଟି ମା’ ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ।
କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା ସ୍ଵାଗତ ଭାଷଣ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲାର ଚାଷୀଙ୍କୁ ବର୍ତ୍ତମାନ କାଳିଆ ସହାୟତା ଦିଆଗଲା।