Breaking Newsଦେଶ-ବିଦେଶ

୩୭୦ ହଟିବା ପରେ କାଶ୍ମୀରରେ କମିଛି ଆତଙ୍କବାଦୀ କାର୍ଯ୍ୟକଳାପ

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। କଶ୍ମୀର ଉପତ୍ୟକାରେ କମିଛି ହିଂସାକାଣ୍ଡ। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ରିପୋର୍ଟରେ ଏହା ଦର୍ଶାଯାଇଛି।

ରିପୋର୍ଟ ଅନୁଯାୟୀ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଉଠିଲା ଧାରା ୩୭୦। ଏହାପରଠାରୁ ସମଗ୍ର କାଶ୍ମୀରରେ ଆତଙ୍କବାଦ ସହ ସମ୍ପୃକ୍ତିଥିବା ଘଟଣା ପ୍ରାୟ ୩୬ ପ୍ରତିଶତ ହ୍ରାସ ପାଇଛି। ୨୦୧୯ ଜୁଲାଇରେ ୧୮୮ଟି ଆତଙ୍କବାଦ ସହ ଜଡ଼ିତ ଘଟଣା ରେକର୍ଡ ହୋଇଥିବା ବ‌େଳେ ୨୦୨୦ ଜାନୁଆରି ମାସରୁ ଜୁଲାଇ ୧୫ ତାରିଖ ମଧ୍ୟରେ ତାହା ୧୨୦କୁ ହ୍ରାସ ପାଇଛି। ୨୦୧୯ରେ କଶ୍ମୀରରେ ୫୧ଟି ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ୨୦୨୦ ଜାନୁଆରି ୧ରୁ ଜୁଲାଇ ୧୫ ମଧ୍ୟରେ ମାତ୍ର ୨୧ ଗ୍ରେନେଡ୍ ଆକ୍ରମଣ ହୋଇଛି।

ସେହିପରି ୨୦୧୯ରେ କାଶ୍ମୀର ଉପତ୍ୟକାରେ ୭୫ଜଣ ନିରାପତ୍ତା କର୍ମଚାରୀ ସହିଦ ଓ ୨୩ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ। ୨୦୨୦ ଜାନୁଆରି ପହିଲାରୁ ଜୁଲାଇ ୧୫ ମଧ୍ୟରେ ୩୫ ଜଣ ଯବାନ ସହିଦ ଓ ୨୨ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। ୨୦୧୯ରେ କାଶ୍ମୀର ଉପତ୍ୟକାରେ ୬ଟି ଆଇଇଡି ଆକ୍ରମଣ ହୋଇଥିବା ବେଳେ ୨୦୨୦ ଜାନୁଆରି ପହିଲାରୁ ଜୁଲାଇ ୧୫ ମଧ୍ୟରେ ୧ଟି ଆଇଇଡି ଆକ୍ରମଣ ହୋଇଛି।

୨୦୨୦ରେ ଏପର୍ଯ୍ୟନ୍ତ କାଶ୍ମୀର ଉପତ୍ୟକାରେ ସମୁଦାୟ ୧୧୦ ସ୍ଥାନୀୟ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସେମାନଙ୍କ ମଧ୍ୟରେ ହିଜବୁଲ ମୁଜାହିଦୀନ ଗୋଷ୍ଠୀର ୫୦ଜଣ ଏବଂ ଲଶ୍କର୍‌-ଏ-ତୈବାର ୨୦ ଜଣ ଓ ଜୈସ୍-ଏ-ମହମ୍ମଦର ୨୦ ଜଣ ରହିଛନ୍ତି। ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ୪୦ ପ୍ରତିଶତ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ମତାମତ ଦିଅନ୍ତୁ ।

Back to top button