୩୭୧ ସାମଗ୍ରୀର ମାନ ଯାଞ୍ଚ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ : ଭାରତ ସରକାର ବିଦେଶରୁ ଆସୁଥିବା ନିମ୍ନମାନ ସାମଗ୍ରୀର ଯାଞ୍ଚକୁ କଡାକଡି କରିବାକୁ ନେଇଛନ୍ତି ପଦକ୍ଷେପ। ଚୀନ ସମେତ ଅନ୍ୟ କିଛି ଦେଶରୁ ପ୍ରାୟ ୩୭୧ ପ୍ରକାରର ସାମଗ୍ରୀ ଭାରତକୁ ଆସୁଛି। ଏସବୁକୁ ବାଧ୍ୟତାମୂଳକ ଭାବେ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ (ଆଇଏସ୍‌) ଅଧୀନକୁ ଆଣିବା ପାଇଁ ଯୋଜନା କରାଯାଇଛି। ଖେଳନା, ଷ୍ଟିଲ୍‌ ବାର୍‌, ଷ୍ଟିଲ୍‌ ଟ୍ୟୁବ୍‌, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ଟେଲିକମ୍‌ ସାମଗ୍ରୀ, କାଗଜ, ରବର ଓ କାଚ ଆଦି ଆମଦାନି ସାମଗ୍ରୀର ମାନ ଯାଞ୍ଚ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ସୁଦ୍ଧା ଆରମ୍ଭ କରାଯିବ। ଏହାଛଡା ନିମ୍ନମାନର ସାମଗ୍ରୀ ଆମଦାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ।

ସୂତ୍ର ଅନୁଯାୟୀ ବାଣିଜ୍ୟ ମନ୍ତ୍ରାଳୟ ଗତବର୍ଷ ଏହି ସାମଗ୍ରୀଗୁଡ଼ିକୁ ଚିହ୍ନଟ କରିଥିଲା। କେନ୍ଦ୍ର ସରକାର ସାମଗ୍ରୀର ମାନ ନିର୍ଦ୍ଧାରଣ କରିବା ସହିତ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ତ୍ଵରାନ୍ଵିତ କରି ଆମଦାମୀ ହ୍ରାସ ଓ ରପ୍ତାନି ବୃଦ୍ଧିକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ କିଛି ସାମଗ୍ରୀର ମାନ ଯାଞ୍ଚ ଡିସେମ୍ବର ସୁଦ୍ଧା ହେବାକୁ ଥିବା ବେଳେ ଆଉ କିଛି ମାର୍ଚ୍ଚ ସୁଦ୍ଧା ହେବ।

ଭାରତୀୟ ମାନକ ନିର୍ଦ୍ଧାରଣ ସଂସ୍ଥା ବିଆଇଏସ୍‌ ନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ କହିଛନ୍ତି ଚୀନ ସମେତ ଅନ୍ୟାନ୍ୟ ଦେଶରୁ ଆମଦାନୀ ହୋଇଥିବା ୩୭୧ ପ୍ରକାର ସାମଗ୍ରୀକୁ ବାଣିଜ୍ୟ ମନ୍ତ୍ରାଳୟ ଚିହ୍ନଟ କରିଛିି। ଏହି ସାମଗ୍ରୀଗୁଡ଼ିକର ବାଧ୍ୟତାମୂଳକ ମାନକ ଯାଞ୍ଚ କରିବା ଲାଗି କାଣ୍ଡଲା, ଜେଏନପିଟି ଓ କୋଚିନ ପରି ସରକାରୀ ବନ୍ଦର ଗୁଡ଼ିକରେ ତନଖି ବ୍ୟବସ୍ଥା କଡାକଡ଼ି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶୱାନ ଦୁଇଟି ବିଆଇଏଏସ୍‌ ୱେବ୍‌ସାଇଟ୍‌ ଲଞ୍ଚ୍‌ କରିବାର ମାତ୍ର କିଛି ସମୟ ପରେ ତିୱାରୀ ଏହି ସୂଚନା ଦେଇଛନ୍ତି। ତେବେ ଅତି କମ୍‌ ପରିମାଣ ଆମଦାମୀ ସାମଗ୍ରୀ ପାଇଁ କୌଣସି ମାନକ ଯାଞ୍ଚ କରାଯିବ ନାହିଁ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।