୪ ଲସ୍କର ଆତଙ୍କୀବାଦୀ ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର୍‌ରେ ୪ ଲସ୍କର ଆତଙ୍କୀବାଦୀଙ୍କର ମୃତ୍ୟୁ ଘଟିଛି। ଏ ମଧ୍ୟରେ ରହିଛି ଲସ୍କରର ଟପ୍‌ କମାଣ୍ଡର ଜାହିଦ ନାଜିର ଭଟ। ଜମ୍ମୁ-କଶ୍ମୀରର ଦୁଇଟି ସ୍ଥାନରେ ଏନକାଉଣ୍ଟର୍‌ ହୋଇଛି। କୁଲଗାମରେ ହୋଇଥିବା ପ୍ରଥମ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମୃତଦେହ ମିଳିନାହିଁ। ସର୍ଚ୍ଚ ଅପରେସନ ଜାରି ରହିଛି।

କୁଲଗାମର ଚିଙ୍ଗାମ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ମିଳିବା ପରେ ପୋଲିସ୍‌ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଗୁଳି ବିନିମୟରେ ୨ ଆତଙ୍କୀ ନିହତ ହୋଇଥିଲେ।

ଏହାର କିଛି ସମୟ ପରେ ପୁଲୱାମାର ଦାଦୋରା ଠାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜାହିଦ ରହିଛି। ଏହି ଦୁଇ ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ, ଦୁଇଟି ଏକେ ୪୭ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ମତାମତ ଦିଅନ୍ତୁ ।