୪୮ ଘଣ୍ଟାରେ ମୌସୁମୀ ସବୁ ଜିଲ୍ଲାକୁ ଛୁଇଁବ : ୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ଵର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼, ଓ ଅନୁଗୋଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଏଥିସହ ଲଘୁଚାପଜନିତ ବର୍ଷା ପାଇଁ ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବର୍ଷାଯୋଗୁ କିଛି ସ୍ଥାନରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ସେହିପରି ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମଗ୍ର ଓଡ଼ିଶା ଓ ଛତିଶଗଡ଼, ମଧ୍ୟପ୍ରଦେଶର ଓ ବିହାରର ଆଉ କିଛି ଅଂଶ ଓ ଉତ୍ତରପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି। ଆଜି ଉତ୍ତର ଆରବ ସାଗର, ଦକ୍ଷିଣ ଗୁଜୁରାଟର ଆଉ କିଛି ଅଂଶ, ଦକ୍ଷିଣ ମଧ୍ୟପ୍ରଦେଶ ଓ ଛତିଶଗଡ଼, ଓଡ଼ିଶାର ଆଉ କିଛି ଅଂଶ, ପଶ୍ଚିମବଙ୍ଗର କିଛି ଅଂଶକୁ ସ୍ପର୍ଶ କରିଛି।

ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସାଇକ୍ଲୋନିକ ସର୍କୁଲେସନ ଆଜି ଲଘୁଚାପରେ ପରିଣତ ହୋଇଛି। ଆସନ୍ତା କାଲି ଏହା ଆହୁରି ଘନୀଭୂତ ହୋଇ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ପୂର୍ବ ଭାରତ ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ ଓ ମଧ୍ୟ ଭାରତର କେତେକ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button