୪ରେ ହାଥରସ ଯିବେ ଅଖିଳେଶ ଯାଦବ

ଲକ୍ଷ୍ମୌ : ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଉତ୍ତେଜନା ଥମୁନାହିଁ। ଚାରିଆଡେ ବିରୋଧର ସ୍ଵର। କଗ୍ରେସ ନେତା ରାହୁଲ ଓ ପ୍ରିୟଙ୍କ ଗାନ୍ଧି ପୀଡ଼ିତା ପରିବାରକୁ ଭେଟିବାକୁ ଯାଇ ବିଫଳ ହୋଇଛନ୍ତି। ସେମାନକୁ ପୋଲିସ ଯିବାକୁ ଦେଇନାହିଁ। ଟିଏମସିର କିଛି ସଦସ୍ୟ ଅନୁରୁପ ପରିସ୍ଥିତିର ସାମନା କରିଥିବା ବେଳେ ଆଜି ରାହୁଲ ପୁଣି ହାଥରସ ଅଭିମୁଖେ ଯାତ୍ରା କରିବେ।

ଅକ୍ଟୋବର ୪ ଅର୍ଥାତ ଆସନ୍ତାକାଲି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ହାଥରସ ଯିବେ ବୋଲି ଜଣାପଡିଛି। ସେ ବିଦେଶରୁ ଫେରି ଦିଲ୍ଲୀରୁ ସିଧା ପୀଡ଼ିତାଙ୍କ ଗାଁକୁ ଯିବେ। ପୀଡିତର ପରିବାରକୁ କିପରି ନ୍ୟାୟ ମିଳିବ ସେନେଇ ଆଲୋଚନା କରି​‌ବେ। ଏହାଛଡା ହାଥରସ ମାମଲାକୁ ନେଇ ସମାଜାବଦୀ ପାର୍ଟି (ସପା)ର ଉତ୍ତେଜନା ଜାରି ରଖିଛି। ଗାନ୍ଧି ଦିବସ ଅବସରରେ ସପାର ସବୁ ପ୍ରମୁଖ ନେତା ପୀଡ଼ିତାଙ୍କ ନ୍ୟାୟ ଦାବି, ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା, ବେକାରୀ ଓ ମହଙ୍ଗା ଦର ଉପରେ ଦୁଇ ଘଣ୍ଟା ମୌନବ୍ରତ ରଖି ଥିଲେ। ଏହି ଅବସରରେ ଲକ୍ଷ୍ମୌରେ ଶାନ୍ତି ପ୍ରଦର୍ଶନ ଓ ସତ୍ୟାଗ୍ରହ ମଧ୍ୟ କରାଗଲା। କେତେକ ସ୍ଥାନରେ ପୋଲିସ ଲୋକଙ୍କ ଉପରେ ଲାଠି ଚାର୍ଜ କରିଥିଲା।

ସୂଚନାଯୋଗ୍ୟ ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ୧୯ ବର୍ଷୀୟା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇ ଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଥିବା ବେଳେ ଜିଭ କାଟି ଦିଆଯାଇଥିଲା। ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଥିଲେ ହେଁ ସେଠାରେ ଜୀବନ ସହ ଲଢ଼ି ମଙ୍ଗଳବାର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

ମତାମତ ଦିଅନ୍ତୁ ।