୫ ଅର୍ଥନୀତିଜ୍ଞଙ୍କୁ ହତ୍ୟା କରିଛନ୍ତି କିମ୍‌

ସିଓଲ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଦେଶର ୫ ଜଣ ଅର୍ଥନୀତିଜ୍ଞଙ୍କୁ ଗତ ଜୁଲାଇ ୩୦ରେ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏକ ଡିନର ପାର୍ଟିରେ ଦେଶର ଆର୍ଥିକ ଅବସ୍ଥା ଓ ରାଷ୍ଟ୍ରପତି କିମ୍‌ଙ୍କ ନୀତିର ସମୀକ୍ଷା ସେମାନେ କରିଥିଲେ। ଆଉ କହିଥିଲେ ଦେଶକୁ ବିଦେଶୀ ସହଯୋଗର ଆବଶ୍ୟକତା ରହିଛି। ଏହା ଜଣାପଡିବା ପରେ ଅର୍ଥନୀତିଜ୍ଞମାନଙ୍କୁ ଡକାଇ କିମ୍‌ ଜୋର ଜବରଦସ୍ତ ଦୋଷ ସ୍ୱୀକାର କରାଇବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏଇ ଅର୍ଥନୀତିଜ୍ଞମାନେ କିଏ ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ କୁହାଯାଉଛି ଦଣ୍ଡିତ ହୋଇଥିବା ବ୍ୟକ୍ତିମାନେ ଆର୍ଥିକ ମନ୍ତ୍ରାଳୟର ଅଧିକାରୀ।

ଉତ୍ତର କୋରିଆର ଏଭଳି ଘଟଣା ନୂଆ ନୁହେଁ। ଏଇ ୫ ଜଣ ଅଧିକାରୀଙ୍କ ପୂର୍ବରୁ ଏପରି ଘଟିଛି। କିମ୍‌ ଏପରି ଅଭିଯୋଗରେ ତାଙ୍କ ପିୟୁସାଙ୍କୁ ହତ୍ୟା କରିଛନ୍ତି। ମାଲେସିୟାରେ ତାଙ୍କ ସାବତ ଭାଇଙ୍କୁ ହତ୍ୟା କରାଇଥିବାର ଅଭିଯୋଗ ମଧ୍ୟ ରହିଛି। ଉତ୍ତରକୋରିଆର ଏବେ କୌଣସି ଦେଶ ସହିତ ଭଲ ସମ୍ପର୍କ ନାହିଁ। ବିଶ୍ୱରୁ ଏକଘରକିଆ ହୋଇଯାଇଛି। ଏହି କାରଣରୁ ଦେଶର ଶାସନତନ୍ତ୍ର କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ସରକାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଅବସ୍ଥାରେ ନାହାନ୍ତି। ସେଇଥି ପାଇଁ କରୋନା ସଂକ୍ରମଣ ରୋକିବା ପାଇଁ କିମ୍‌ ଚୀନ୍‌ ସୀମା ସିଲ କରିଛନ୍ତି। ସୀମା ଆଖପାଖରେ କୌଣସି ନାଗରିକ ଦେଖିଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।