୫ କିଲୋମିଟର ଭାରରେ ବୁହାହେଲା ରୋଗୀ

କୋରାପୁଟ : କୋରାପୁଟ ଜିଲ୍ଲାରେ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର। ଏବେ ମଧ୍ୟ ପରିସ୍ଥିତି ସୁଧୁରିନି। ରାସ୍ତା ନଥିବାରୁ ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ। ଭାରରେ ବୁହାହେଉଛନ୍ତି ରୋଗୀ। ଜୟପୁର ବ୍ଲକ କେବିଡ଼ି ପଞ୍ଚାୟତ ଅନ୍ତର୍ଗତ ହରଡାଗୁଡା ଗାଁରେ ଏପରି ଘଟଣା ଘଟିଛି। ପରିବାର ଲୋକେ ରୋଗୀକୁ ୫ କିଲୋମିଟରରୁ ଅଧିକ ବାଟ ବୋହି ଆମ୍ବୁଲାନ୍ସ ଯୋଗେଁ ଏସଏଲଏନ ମେଡିକାଲ କଲେଜକୁ ପଠାଇଥିବା ଜଣାପଡିଛି।

ଖବର ଅନୁଯାୟୀ ହରଡାଗୁଡା ଗାଁର ଅଭିରାମ ସିରକାଙ୍କୁ ଭୀଷଣ ପେଟ ବ୍ୟଥା ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଆସିଲା କିନ୍ତୁ ପାହାଡ ଉପରେ ହରଡାଗୁଡା ଗାଁକୁ ରାସ୍ତା ନ ଥିବାରୁ ଯାଇପାରିଲାନି। ମାଳିଗୁଡା ଗାଁରେ ଅଟକିଲା। ରୋଗୀଙ୍କୁ ପରିବାରବର୍ଗ ଅଭିରାମଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ। ଗାଁ ଲୋକଙ୍କ କହିବା ଅନୁଯାୟୀ କୋରାପୁଟ ଜିଲ୍ଲାପାଳ ଓ ଜୟପୁର ବଡିଓଙ୍କୁ ରାସ୍ତା ତିଆରି ପାଇଁ ଅଭିଯୋଗ ଦେଇଛୁ। କିନ୍ତୁ ସମସ୍ୟାର ସମାଧାନ ହେଉନି। ୨୦୧୯ ଭୋଟ ବେଳେ ଗାଁକୁ ରାସ୍ତା ନ ହେଲେ ଭୋଟ ଦେବୁନାହିଁ ବୋଲି ଅଡି ବସିଥିଲୁ। ଖୁବଶୀଘ୍ର ରାସ୍ତା ହେବ ବୋଲି ରାଜନେତାଙ୍କଠାରୁ ପ୍ରତିଶୃତି ମିଳିଥିଲା। ହେଲେ ଏଯାଏ ରାସ୍ତା ହୋଇନପାରିବାରୁ ରୋଗୀକୁ ଭାଇକୁ ବୋହି ଆଣିବାକୁ ପଡୁଛି।

ସମ୍ବନ୍ଧିତ ଖବର
between image and heading

Comments are closed.