୫ ନକ୍ସଲ ନିହତ, ୨ ଏସ୍‌ଓଜି ଯବାନ ସହିଦ

ଫୁଲବାଣୀ : ଗତକାଲି କଳାହାଣ୍ଡି-କନ୍ଧମାଳ ସୀମାରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୫ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ସହିଦ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସହିଦ ଯବାନ ଦ୍ୱୟ ହେଲେ ମୟୂରଭଞ୍ଜ ଜିଲ୍ଲା ସନଭାଡୁଆ ଗାଁର ସୁଧୀର କୁମାର ଟୁଡୁ ଓ ଅନୁଗୋଳ ଜିଲ୍ଲା ରାଜକିଶୋରନଗର ଥାନା ଅନ୍ତର୍ଗତ ଅଙ୍ଗପଡ଼ାର ଦେବାଶିଷ ସେଠୀ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଡୁଦୁକା ରଂଜା ଚିଦ୍ରା ଓ କନ୍ଧମାଳ ସୀମା ଭଣ୍ଡରଙ୍ଗୀ ନିକଟସ୍ଥ ସିର୍କୀ ଜଙ୍ଗଲରେ ନକ୍ସଲ ସମ୍ପର୍କରେ ଖବର ପାଇ ମଙ୍ଗଳବାର ଏସଓଜି ଓ ଡିଭିଏଫ ଯବାନମାନେ ମିଳିତ ସର୍ଚ୍ଚ ଅପରେଶନ୍‌ରେ ଯାଇଥିଲେ। ଗତକାଲି ଦିନ ୧୧ଟା ବେଳେ ନକ୍ସଲ-ଯବାନଙ୍କ ମୁହାଁମୁହିଁ ହୋଇଥିଲେ।
ପ୍ରଥମେ ନକ୍ସଲମାନେ ଗୁଳି ଚଳାଇବାରୁ ଯବାନମାନେ ଏହାର ଜବାବ ଦେଇଥିଲେ। ପ୍ରାୟ ଦେଢ଼ଘଣ୍ଟା ଗୁଳି ବିନିମୟ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ପରେ ପୋଲିସ ଜଙ୍ଗଲରୁ ୫ ନକ୍ସଲଙ୍କ ମୃତଦେହ ଜବତ କରିବା ସହିତ ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ତେବେ ଏହି ଗୁଳିବିନିୟମ ବେଳେ ଦୁଇ ଜଣ ଏସ୍‌ଓଜି ଯବାନ ସହିଦ ହୋଇଯାଇଥିଲେ।

ମତାମତ ଦିଅନ୍ତୁ ।