୫୦ ହଜାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୧୦୧ କୋଟି ଟଙ୍କାର ବୃତ୍ତି

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି, ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ଟି ଅନ୍ୟ ଛାତ୍ରାବାସ ଉଦଘାଟନ, ହଷ୍ଟେଲରେ ରହୁଥିବା ୫.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ, ୫୦ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି, ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏସବୁ କାର୍ଯ୍ୟକ୍ରମଗୁଡିକ ବିଭାଗର କାର୍ଯ୍ୟକ୍ରମରେ ଅଧିକ ଦକ୍ଷତା ଓ ସ୍ଵଚ୍ଛତା ଆଣିବାରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ଅବସରରେ ଉଦବୋଧନ ଦେଇ କହିଥିଲେ ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର। ଜନଜାତି ଭାଇଭଉଣୀମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ସେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି। ଆଜି ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି। ପ୍ରାଥମିକ ଶିକ୍ଷା ପାଇଁ ମାତୃଭାଷା ସବୁଠାରୁ ଉତ୍ତମ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଆଜି ଆରମ୍ଭ ହେଉଥିବା ସଂହତି କାର୍ଯ୍ୟକ୍ରମ ଦ୍ଵାରା ଦେଢଲକ୍ଷ ପିଲା ସୁବିଧାରେ ପାଠ ପଢି ପାରିବେ। ସେହିପରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୋ ଛାତ୍ରାବାସ କାର୍ଡ, ଓଡ଼ିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ପୋଷ୍ଟ ମାଟ୍ରିକ ସ୍କଲାରସିପ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି। ଏହି ଦୁଇଟି ଯୋଜନାରେ ଛଅ ଲକ୍ଷରୁ ଅଧିକ ପିଲା ଉପକାର ପାଇବେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ସଂହତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ୧.୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ସେହିପରି ହଷ୍ଟେଲମାନଙ୍କରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ମୋ ଛାତ୍ରାବାସ କାର୍ଡ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହାଦ୍ଵାରା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଥିବା ୬୭୦୦ହଷ୍ଟେଲର ୫.୭୫ ଲକ୍ଷ ଛାତ୍ରଛାତ୍ରୀ ଉପକାର ପାଇବେ। ଓଡ଼ିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲ ଜରିଆରେ ୫୦ହଜାର ଛାତ୍ରଛାତ୍ରୀଙ୍କୁ ୧୦୧କୋଟି ଟଙ୍କା ପରିମାଣର ବୃତ୍ତି ପିଲାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯାଇଛି। ଅନୁସୂଚିତ ଜାତି, ଜନଜାତି ପିଲାମାନଙ୍କୁ ସହରର ଭଲ ସ୍କୁଲରେ ଶିକ୍ଷା ଦେବାପାଇଁ ଆକାଂକ୍ଷା ଯୋଜନା ଚାଲୁଅଛି। ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ୩ ଟି ଆକାଂକ୍ଷା ହଷ୍ଟେଲ ଉଦଘାଟନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୬୮ଟି ଛତ୍ରାବାସ ଲୋକାର୍ପିତ କରିଥିଲେ। ଏହି ଛତ୍ରାବାସ ଗୁଡିକ ପାଇଁ ୧୫୦କୋଟି ଟଙ୍କା ବିନିଯୋଗ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ଦକ୍ଷତା ବିକାଶ ଆମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ପ୍ରୟାସ ଯୋଜନାରେ ୭୫୦୦ରୁ ଅଧିକ ଏସଟି, ଏସସି ଓ ଓବିସି ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଓଡିଶା ସ୍କିିଲ ଡେଭଲପମେଣ୍ଟ ଅଥରିଟି ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଆପଦଗ୍ରସ୍ଥ ଜନଜାତିଙ୍କ ପାଇଁ ଆରମ୍ଭ ହୋଇଥିବା ପୁଷ୍ଟି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଅଜିମ ପ୍ରେମଜୀ ଫିଲାନଥ୍ରୋପିକ୍ ଇନିସିଏଟିଭର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦ୍ଵାରା ଆମର ୩୫୦୦ପିଭିଟିଜି ଚାଷୀ, ୨୩ ହଜାର ଶିଶୁ ଏବଂ ୨୫ ହଜାର ମା’ ଉପକାର ପାଇବେ। ଏହି କାର୍ଯ୍ୟକ୍ରମ ରାଜ୍ୟର ୧୧୩୮ଟି ପିଭିଟିଜି ଗ୍ରାମରେ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମଗୁଡିକ ଦ୍ଵାରା ଆମର ଜନଜାତି , ଜାତି ପିଲାମାନେ ଆଗକୁ ବଢିବା ସହିତ ସେମାନଙ୍କର ପ୍ରକୃତ ସଶକ୍ତିକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ଵାସ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରରୁ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଆଜିର କାର୍ଯ୍ୟକ୍ରମ ଦ୍ଵାରା ଜନଜାତି, ଜାତି ଛାତ୍ରଛାତ୍ରୀମାନେ ଆଗକୁ ବଢିବା ସହିତ ଓଡିଶାର ବିକାଶରେ ଯୋଗଦାନ ରଖିପାରିବେ ବୋଲି କହିଥିଲେ । ସେହିପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ ଭିଡିଓ କନଫରେନସିଙ୍ଗ ଜରିଆରେ ଯୋଗ ଦେଇ ଅଭିଭାଷଣ ରଖିଥିଲେ। ଆପଦଗ୍ରସ୍ତ ଜନଜାତିଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ନବରଙ୍ଗପୁର ଓ କେଉଁଝର ର ଦୁଇଜଣ ବୃତ୍ତି ପାଇଥିବା ଛାତ୍ରଛାତ୍ରୀ ଭିଡିଓ କନଫରେନସିଙ୍ଗ ଜରିଆରେ ନିଜର ମତାମତ ରଖି ଏହାଦ୍ବାରା ସେମାନଙ୍କର ଉଚ୍ଚଶିକ୍ଷାରେ ସୁବିଧା ହେବ ବୋଲି କହିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସ୍ଵାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button