୫୮୦୦ ମିଟର୍ ଉଚ୍ଚରେ ଭାରତୀୟ ସେନା କରୁଛି ଶୀତ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଲଦାଖ ଅଞ୍ଚଳର କାରାକୋରମ ଓ କୈଳାସ ରେଞ୍ଜ୍‌ରେ ପ୍ରଥମ ତୁଷାରପାତ ହୋଇଛି। ଆଗକୁ ଥଣ୍ଡାର ପ୍ରକୋପ ବଢିବ। ସେଥିପାଇଁ ପାଙ୍ଗୋଙ୍ଗ୍ ସୋ’ ଫିଙ୍ଗର-୪ର ୫, ୮୦୦ ମିଟର୍ ଉଚ୍ଚ ପାହାଡ ଅଞ୍ଚଳରେ ଚୀନ ସେନାର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛି। କିନ୍ତୁ ଉଭୟ ସେନା ପାଇଁ ଏବେ ଥଣ୍ଡା ସହ୍ୟ କରିବା ପରୀକ୍ଷାର ସମୟ ଆସିଛି।

ଚଳିତ ବର୍ଷ ଦୀପାବଳି ପରେ ଶୀତ ପ୍ରବଳ ହେବ ବୋଲି ଆଶା କରାଯାଉଛି। ସେହି କାରଣରୁ ଚୀନ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ତ୍ଵରାନ୍ଵିତ ହୋଇଥିବା ଅନୁମାନ କରାଯାଉଛି। ବାସ୍ତବ ନିୟନ୍ତ୍ରଣ ରେଖାର ସୁରକ୍ଷା ପାଇଁ ପା‌ଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଭାରତୀୟ ସେନା କୈଳାସ ରେଞ୍ଜ୍‌ର ରେଜାଙ୍ଗ ଲା-ରେଚିନ୍‌ ଲା ରିଜ୍‌ ଲାଇନ୍‌ର ଆଧିପତ୍ୟ ବିସ୍ତାର କରିଛି। ଏଥିଲାଗି ବ୍ଲାକ୍ ଟପ୍ ଓ ହେଲ୍‌ମେଟ୍‌ରେ ଉପସ୍ଥିତ ଥିବା ପିପୁଲସ୍ ଲିବରେସନ୍ ଆର୍ମି ଭାରତୀୟ ସେନାକୁ ତୀବ୍ର ବିରୋଧ କରୁଛି। ଉଭୟ ପକ୍ଷର ଯବାନମାନେ ବାସ୍ତବ ନିୟନ୍ତ୍ରଣ ରେଖାର ସୁରକ୍ଷା ନିମନ୍ତେ ଏକ ପ୍ରକାର ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

ସେହିପରି ଚୀନର ସବୁ ପ୍ରକାରର ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ଭାରତୀୟ ସେନା ଅତ୍ୟାଧୁନିକ ଟି-୯୦ ଓ ଟି -୭୨ ଟ୍ୟାଙ୍କ ମୁତୟନ କରିଛି। ଏହି ଟ୍ୟାଙ୍କ ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରା ସମୟରେ ଗୁଳିବର୍ଷା କରି ଶତ୍ରୁକୁ ମାତ ଦେବାର କ୍ଷମତା ରଖିଛି। ଏଲଏସି ନିକଟସ୍ଥ ଚୁମାର ଓ ଡେମୋକୋକ ଅଞ୍ଚଳରେ ଏହି ଟ୍ୟାଙ୍କରକୁ ମୁତୟନ କରାଯାଇଛି। ଏହାଛଡା ବିଏମପି- ୨ ଇନଫାଣ୍ଟ୍ରୀ ଯୁଦ୍ଧ ଗାଡ଼ି ନିୟୋଜିତ କରାଯାଇଛି। ଯାହାକି ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିବ।

ଶୀତକୁ ଦୃଷ୍ଟିରେ ରଖି ଭାରତୀୟ ସେନାର ଆବଶ୍ୟକ ସାମରିକ ସାମଗ୍ରୀ ମନାଲି-ଲେହ ରାଜପଥରେ ପରିବହନ କରାଯାଉଛି। ଏହାଛଡ଼ା ଏହି ସାମଗ୍ରୀର ଗଚ୍ଛିତ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ ସେନା ରୁଷୀୟ ତମ୍ବୁ କ୍ରୟ କରୁଛି। ଶୀତଦିନ ପାଇଁ ପାନୀୟ ଜଳ ଆଉ ଏକ ଆହ୍ଵାନ ହୋଇଥିବାରୁ ପାଇପ୍ ପାଣିର ବ୍ୟବସ୍ଥା ହେଉଛି। କିନ୍ତୁ ଯବାନମାନେ ପାଣି ଲାଗି ବିଶେଷ ଭାବେ ତୁଷାର ଉପରେ ନିର୍ଭର କରିବେ। ହିଟର୍ ଦ୍ୱାରା ତୁଷାର ତରଳାଇ ସେମାନେ ପାନୀୟ ଜଳ ପ୍ରସ୍ତୁତ କରିବେ। ଯବାନମାନଙ୍କ ଲାଗି ଶକ୍କରପରା ନାମରେ ଏକ ପ୍ରକାର ମିଠା ଜଳଖିଆର ବ୍ୟବସ୍ଥା ହେଉଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଗଲ୍‌ୱାନ୍ ସଂଘର୍ଷ ପରେ ପୂର୍ବ ଲଦାଖରେ ୩୦ ହଜାରରୁ ଅଧିକ ଅତିରିକ୍ତ ସୈନ୍ୟ ମୁତୟନ ହୋଇଛନ୍ତି।

ମତାମତ ଦିଅନ୍ତୁ ।