୫ରୁ ଚଳାଚଳ କରିବା ୭୧ ଅଣ ସଂରକ୍ଷିତ ଟ୍ରେନ : ବିନା ରିଜର୍ଭେସନରେ ମିଳିବ ଯାତ୍ରା ସୁବିଧା

ନୂଆଦିଲ୍ଲୀ : ଯାତ୍ରୀଙ୍କ ସୁବିଧା ପାଇଁ ବହୁ ସଂଖ୍ୟାରେ ଅଣ ସଂରକ୍ଷିତ ଟ୍ରେନ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି। ଏଥିରେ ଦିଲ୍ଲୀ-ଏନସିଆର ସହ ସହାରନପୁର, ଅମୃତସର ଓ ଫିରୋଜପୁର ସମେତ ଦେଶର ଅନେକ ସ୍ଥାନର ଯାତ୍ରୀଙ୍କ ପାଇଁ ଗମନାଗମନ ସହଜ ହେବ। ଏପ୍ରିଲ ୫ରୁ ଅଧିକାଂଶ ଅଣସଂରକ୍ଷିତ ଟ୍ରେନ ଚଳାଚଳ କରିବ। ଏହି କ୍ରମରେ ଉତ୍ତର ରେଲଓ୍ଵେ ମୋଟ୍ ୭୧ ଅଣ ସଂରକ୍ଷିତ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନର ତାଲିକା ଜାରି କରିଛି।

ରେଳ ମନ୍ତ୍ରଣାଳୟ ଶନିବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ରେଲଓ୍ଵେ ଭାରତୀୟ ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପ୍ରିଲ ୫ରୁ ୭୧ ଅନରିଜର୍ଭ ଟ୍ରେନ ସେବା ଆରମ୍ଭ କରିବାକୁ ଯାଉଛି। ଏହା ଯାତ୍ରୀଙ୍କ ସୁରକ୍ଷିତ ଓ ଆରାମଦାୟକ ଯାତ୍ରାରେ ସହାୟକ ହେବ।

ସୂଚନାଯୋଗ୍ୟ ବିନା ରିଜର୍ଭେସନରେ ଟ୍ରେନରେ ଯାତ୍ରା ପାଇଁ ଏ ପର୍ଯ୍ୟନ୍ତ ଅନୁମତି ଦିଆଯାଇନାହିଁ। ଟିକେଟ୍ ସୁନିଶ୍ଚିତ ହେବା ପରେ ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି। କରୋନା ପରେ ଦେଶରେ ଯେଉଁ ଦିନଠାରୁ ରେଳ ସେବା ପୁନର୍ବାର ଆରମ୍ଭ ହୋଇଛି ସେହିଦିନଠୁ ଏହି ବ୍ୟବସ୍ଥା ଜାରି ରହିଛି। ହେଲେ ଏପ୍ରିଲ ୫ରୁ ଦେଶର କିଛି ଭାଗରେ ଯାତ୍ରୀ ବିନା ରିଜର୍ଭେସନରେ ଟ୍ରେନ ଯାତ୍ରା କରି ପାରିବେ।

Leave a Reply

Your email address will not be published. Required fields are marked *

Back to top button