୬ଟି ପାହାଡ଼କୁ ଦଖଲକୁ ନେଲା ଭାରତୀୟ ସେନା

ନୂଆଦିଲ୍ଲୀ : ପୂର୍ବ ଲଦାଖ ସେକ୍ଟର୍‌ରେ ସୀମାକୁ ନେଇ ଚୀନ-ଭରତ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ତୁଟୁନାହିଁ। ଚୀନ ସମାଧାନ କହୁଥିବା ବେଳେ ନିଜର ବିସ୍ତାରବାଦୀ ନୀତି ଅନୁଯାୟୀ ଉଦ୍ୟମ ଜାରି ରଖିଛି। ଏହିବାଲୀ ସମୟରେ ସେନା ଗୋଟିଏ ପରେ ଗୋଟିଏ ସ୍ଥାନ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଛି। ଗତ ତିନି ସପ୍ତାହ ଭିତରେ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ୬ଟି ନୂଆ ଗୁରୁତ୍ଵପୂର୍ଣ୍ଣ ପାହାଡ଼ ଦଖଲକୁ ନେଇଛି ଭାରତୀୟ ସେନା।

ସୂତ୍ର ଅନୁଯାୟୀ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହ ମଧ୍ୟରେ ଭାରତୀୟ ସେନା ଏହି ନୂଆ ପାହାଡ଼କୁ ଅକ୍ତିଆର କରିଛି। ଏହି ପର୍ବତଗୁଡ଼ିକ ମଧ୍ୟରେ ରହିଛି ମଗର ପାହାଡ଼, ଗୁରୁଙ୍ଗ ପାହାଡ଼, ରେସେହେନ୍‌ ଲା, ରେଜାଙ୍ଗ୍ ଲା, ମୋଖପରୀ ଓ ଚୀନ୍ ସେନା ଆସ୍ଥାନ ଜମାଇଥିବା ଫିଙ୍ଗର୍ ୪ ନିକଟବର୍ତ୍ତୀ ଏକ ଉଚ୍ଚ ପାହାଡ଼। ଏହି ପାହାଡ଼ ସବୁ ଭାରତୀୟ ସୀମାରେଖା ମଧ୍ୟରେ ରହିଛି। ଏହି ପାହାଡ଼ ଗୁଡିକୁ ଚୀନ୍ ସେନା ଦଖଲ କରିବା ପୂର୍ବରୁ ଭାରତୀୟ ସେନା ନିୟନ୍ତ୍ରଣକୁ ନେଇଛି। ଏହି ପଦକ୍ଷେପ ପରେ ଆମ ସେନା କହିଛନ୍ତି ସେ ଅଞ୍ଚଳରେ ମୁକାବିଲା କରିବାକୁ ସ୍ଥାନ ମିଳିଗଲା।

ଏହି ପାହାଡ଼ ଗୁଡ଼ିକୁ ଅଧିକାର କରିବାକୁ ଚୀନ୍ ସେନାର ଉଦ୍ୟମ ଭଣ୍ଡୁର କରାଯିବା କାରଣରୁ ଅନ୍ୟୂନ ତିନି ଥର ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତରରୁ ଦକ୍ଷିଣ କୂଳ ପର୍ଯ୍ୟନ୍ତ ଫାଙ୍କା ଗୁଳି ଚାଳନା ହୋଇଥିଲା। ଭାରତୀୟ ସେନା ପାହାଡ଼ଗୁଡ଼ିକୁ ଦଖଲ କରିବା ପରେ ଚୀନ୍ ସେନା ରେଜାଙ୍ଗ୍ ଲା ଓ ରେଚେନ୍ ଲା ପାହାଡ଼ ପାଖରେ ୩୦୦୦ ଅତିରିକ୍ତ ସୈନ୍ୟ ମୁତୟନ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।