୭ ଲକ୍ଷ କୋଟିର ମୋବାଇଲ୍ ଫୋନ୍ ଓ ଉପକରଣ ରପ୍ତାନି କରିବ ଭାରତ

ନୂଆଦିଲ୍ଲୀ : ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ଉତ୍ପାଦନ ହେବ ୧୧. ୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ ଓ ଉପକରଣ। ସେଥିରୁ ୭ ଲକ୍ଷ କୋଟି ଟଙ୍କାର ରପ୍ତାନି କରାଯିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ଶନିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରସାଦ କହିଛନ୍ତି ଭାରତରେ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ୍‌ ନିର୍ମାଣ ବୃଦ୍ଧି କରାଇବା ନିମନ୍ତେ ସରକାରଙ୍କ ପ୍ରଡକ୍‌ସନ୍-ଲିଙ୍କ୍‌ଡ୍ ଇନ୍‌ସେଣ୍ଟିଭ୍ ସ୍କିମ୍ ବା ପିଆଇଏଲ୍ ଯୋଜନା ପ୍ରତି ଦେଶି ଓ ବିଦେଶୀ କମ୍ପାନି ଆଗ୍ରହୀ ଅଛନ୍ତି। ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ୍‌ ପିଏଲ୍‌ଆଇ ସ୍କିମ୍ ନିମନ୍ତେ ୨୨ଟି ଆବେଦନ ମିଳିଥିବା ବେଳେ ୪୦ କମ୍ପାନି ଉପକରଣ ଯୋଜନା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଏହି କମ୍ପାନି ଗୁଡିକ ଭାରତରେ ୧୧. ୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ ଓ ଉପକରଣ ଉତ୍ପାଦନ କରିବେ। ସେଥିମଧ୍ୟରୁ ୭ ଲକ୍ଷ କୋଟି ଟଙ୍କାର ରପ୍ତାନି କରାଯିବ। ଏହି ଯୋଜନାରେ ବିଦେଶୀ କମ୍ପାନିମାନଙ୍କୁ ୧୫, ୦୦୦ ଟଙ୍କା ବା ତା’ଠାରୁ ଅଧିକ ମୂଲ୍ୟର ମୋବାଇଲ୍ ଫୋନ୍ ତିଆରି କରିବାକୁ ଅନୁମତି ଦିଆଯାଇଛି। ସରକାରଙ୍କ ଏହି ଯୋଜନା ୩ ଲକ୍ଷ ପ୍ରତ୍ୟକ୍ଷ ଓ ପ୍ରାୟ ୯ ଲକ୍ଷ ପରୋକ୍ଷ କର୍ମସଂସ୍ଥାନ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।