୭୫ ବର୍ଷରେ ପାଦ ଦେଲେ ନବୀନ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ ବର୍ଷରେ ପାଦ ଦେଇଛନ୍ତି। କିନ୍ତୁ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳିବେନି ଘୋଷଣା କରିଥିଲେ। ଶୁଭେଚ୍ଛୁମାନଙ୍କୁ ପରାମର୍ଶ ଦେଇ କହିଥିଲେ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କର। ଏହାଛଡା ରକ୍ତ ଓ ପ୍ଲାଜମା ଦାନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଓଡିଶାରେ ଚାଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାର। ନବୀନଙ୍କ ଦୀର୍ଘ ୨୦ ବର୍ଷର ଅକ୍ଲାନ୍ତ ପରିଶ୍ରମ ପାଇଁ ରାଜ୍ୟ ସମୃଦ୍ଧି ପଥରେ ଆଗକୁ ବଢୁଛି। କୋଭିଡ୍ ମହାମାରୀ ସମୟରେ ଲୋକଙ୍କୁ କିପରି ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତା’ ଉପରେ ରହିଛି ତାଙ୍କର ଗୁରୁତ୍ଵ। କେବଳ ସେତିକି ନୁହେଁ ନବୀନଙ୍କ ନେତୃତ୍ଵାଧୀନ ବିଜୁ ଜନତା ଦଳ ସରକାର ରାଜ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛି। ଏ ମଧ୍ୟରେ ରହିଛି ଶ୍ରୀକ୍ଷେତ୍ର ନବୀକରଣ। ଓଡ଼ିଆ ଜାତିର ପରିଚୟ ଜଗନ୍ନାଥ ମନ୍ଦିରକୁ ସୁରକ୍ଷିତ ଓ ସୁନ୍ଦର କରିବା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ନବୀନ। ବିନା ବିବାଦରେ ଜାରି ରହିଛି ଜବରଦଖଲ ଉଚ୍ଛେଦ ଓ ଜମି ଅଧିଗ୍ରହଣ କାର୍ଯ୍ୟ। ପୁରୀକୁ ଏକ ବିଶ୍ଵସ୍ତରୀୟ ଐତିହାସିକ ସହରରେ ପରିଣତ କରିବା ପାଇଁ ‘ଅବଢ଼ା’ ଯୋଜନାରେ ୩୨୦୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କାର୍ଯ୍ୟ ଚାଲୁ ରହିଛି।

ସେହିପରି ୨୦୧୯ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିଲା ମୋ ସରକାର ଯୋଜନା। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ‘ଲୋକମାନେ ହିଁ ପ୍ରକୃତ ସରକାର। ମୋ ସରକାର ହେଉଛି ସେମାନଙ୍କ ସରକାର। ପ୍ରତିଟି ସରକାରୀ କାର୍ଯ୍ୟାଳୟ ନାଗରିକଙ୍କ ଟଙ୍କାରେ ଚାଲୁଛି। ତେଣୁ ଲୋକମାନେ ନିଜ କାମ ପାଇଁ ସରକାରୀ ଅଫିସକୁ ଆସିଲେ କର୍ମଚାରୀମାନେ ସେମାନଙ୍କ ପ୍ରତି ସମ୍ମାନ ଓ ସମ୍ବେଦନା ପ୍ରଦର୍ଶନ କରିବା ଉଚିତ। ସେଥିପାଇଁ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟଙ୍କ ସମେତ ନବୀନ ପଟ୍ଟନାୟକ ନିଜେ ଜନସାଧାରଣଙ୍କୁ ଫୋନ କରି ସରକାରୀ ସେବାରେ ସେମାନେ କେତେ ସନ୍ତୁଷ୍ଟ ମତାମତ ଗ୍ରହଣ କରୁଛନ୍ତି। ଲୋକଙ୍କ ମତାମତ ଓ ଅଭିଯୋଗ ଆଧାରରେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ନବୀନ ସରକାରଙ୍କ ଆଉ ଏକ ଯୋଜନା ହେଲା ୫-ଟି। ଏହି ଧାରାରେ ଟ୍ରାନ୍‍ପରେନ୍‍ସି (ସ୍ଵଚ୍ଛତା), ଟିମ୍ ୱାର୍କ (ସହଯୋଗ), ଟେକ୍‍ନୋଲୋଜି (ପ୍ରଯୁକ୍ତିବିଦ୍ୟା), ଟାଇମ୍ (ସମୟ) ଓ ଟ୍ରାନ୍ସଫରମେସନ୍ (ସଂସ୍କାର) ଉପରେ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି। ଶାସନକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ୫-ଟିର ମନ୍ତ୍ରକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ। ସରକାରୀ ନାଲି ଫିତା ତଳେ କୌଣସି କାର୍ଯ୍ୟ ପଡ଼ି ନ ରହେ, ଯୋଜନା ଘୋଷଣା ହେବା ସଙ୍ଗେ ସଙ୍ଗେ ଲୋକଙ୍କ ନିକଟକୁ ତାହାର ସୁବିଧା କିପରି ପହଞ୍ଚିପାଋବ ସେ କ୍ଷେତ୍ରରେ ୫-ଟି ଉଲ୍ଲେଖନୀୟ ପ୍ରୟାସ କରିଆସିଛି।

ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ କଟକ ଏସ୍‍ସିବି ମେଡିକାଲ୍ କଲେଜ ଓ ହସ୍‍ପିଟାଲକୁ ବିଶ୍ଵସ୍ତରୀୟ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହଜାରେ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ସେ କହିଥିଲେ ଏସ୍‌ସିବିକୁ ବିଶ୍ଵସ୍ତରୀୟ ଅନୁଷ୍ଠାନ ଭାବେ ବିକାଶ କରି ସାଧାରଣ ଲୋକଙ୍କୁ ଓଡ଼ିଶାରେ ଉନ୍ନତ ଚିକିତ୍ସା ଯୋଗାଇ ଦେବା ହେଉଛି ସରକାରର ଲକ୍ଷ୍ୟ। ନିକଟରେ ଏସ୍‍ସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଉପରେ ନିର୍ମିତ ନୂଆ ରାସ୍ତାକୁ ମୁଖ୍ୟମନ୍ତ୍ରୀ ଉଦ୍‍‌ଘାଟନ କରିଛନ୍ତି।

ମୋଟାମୋଟି ଭାବେ କହିବାକୁ ଗଲେ ମହାବାତ୍ୟାର ପରେ ଅର୍ଥାତ ୨୦୦୦ ମସିହାରେ ଓଡ଼ିଶାର ଶାସନ ଡୋରି ହାତକୁ ନେଇଥିବା ନବୀନ ଏବେ ବେଶ ଅଭିଜ୍ଞ। ସେ ନେଉଥିବା ନିଷ୍ପତ୍ତି ଶତ ପ୍ରତିଶତ ସଠିକ ପ୍ରମାଣିତ ହୋଇ ଆସୁଛି। ବର୍ତ୍ତମାନ ରାଜ୍ୟରେ ୨୦୦୦ ମସିହାର ଚିତ୍ର ଆଉ ନାହିଁ। ସଂପୂର୍ଣ୍ଣ ବଦଳି ଯାଇଛି। ରାଜ୍ୟର ଦ୍ରୁତ ବିକାଶ ପାଇଁ ନବୀନଙ୍କ ଲୋକ ପ୍ରିୟତା ବଢି ଚାଲିଥିବାରୁ ଓଡିଶା ରାଜନୀତିରେ ତାଙ୍କର ବିକଳ୍ପ କେହି ନାହିଁ। ବିରୋଧୀ ଉଧେଇ ପାରୁନାହାନ୍ତି। ସବୁ ଆଡ଼େ ନବୀନ। ତାଙ୍କର ଏଇ ଜନ୍ମଦିନ ଅବସରରେ ଲୋକେ ନବୀନଙ୍କ ଦୀର୍ଘାୟୁ କାମନା କରୁଛନ୍ତି।

ମତାମତ ଦିଅନ୍ତୁ ।