୮୮ କରୋନା ସଂକ୍ରମିତ ମହିଳା ଜନ୍ମ ଦେଇଛନ୍ତି ୮୨ ଶିଶୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପ୍ରସବ ପାଇଁ ହସ୍ପିଟାଲକୁ ଯାଉଥିବା ପ୍ରସୂତି ସଂକ୍ରମିତ ହେଉଥିବା ନଜରକୁ ଆସୁଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୮୮ଜଣ ଗର୍ଭବତୀ ମହିଳା କରୋନାରେ ସଂକ୍ରମିତ ହୋଇଥିବା ବେଳେ ୮୨ଜଣ ଜୀବନ୍ତ ଶିଶୁ ଜନ୍ମ ନେଇଛନ୍ତି। ତହିଁରେ ସର୍ବାଧିକ ୩୨ଜଣ ଗଞ୍ଜାମ ଜିଲ୍ଲାରୁ ରହିଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। 

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ୮୮ ସଂକ୍ରମିତ ଗର୍ଭବତୀ ୮୨ ଶିଶୁ ଜନ୍ମ ନେଇଛନ୍ତି। ୬ ମୃତ ଶିଶୁ ଜନ୍ମ ନେଇଛନ୍ତି। ଗଞ୍ଜାମରେ ସର୍ବାଧିକ ୩୨ଜଣ ଜନ୍ମ ନେଇଥିବା ବେଳେ ବାଲେଶ୍ବରରେ ୧୫ ଓ ଅନ୍ୟ ଜିଲ୍ଲାରେ କିଛି ଶିଶୁ ଜନ୍ମ ନେଇଛନ୍ତି। ତେବେ ଜନ୍ମିତ ୮୨ଶିଶୁଙ୍କ ମଧ୍ୟରୁ ୧୨ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି। ତହିଁରୁ ଜଣେ ଶିଶୁ ପଜିଟିଭ୍ ଥିବା ସୂଚନା ମିଳିଛି। ଏସବୁ ଶିଶୁ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଜନ୍ମ ନେଇଛନ୍ତି।  ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା ମୁତାବକ, ରାଜ୍ୟରେ କରେନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ବିଭିନ୍ନ ହସ୍ପିଟାଲରେ ୮୮ଜଣ ପ୍ରସୂତି କ‌ରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଜନ୍ମିତ ସମସ୍ତ ଶିଶୁଙ୍କ କୋଭିଡ୍‌ ନମୁନା ପରୀକ୍ଷା କରାଯାଇନାହିଁ। ଆବଶ୍ୟକ ଦୃଷ୍ଟିରୁ ମାତ୍ର ୧୨ଶିଶୁଙ୍କ ନମୁନା ପରୀକ୍ଷା ହୋଇଥିଲା। ମା’ ଓ ଶିଶୁମାନେ ସୁସ୍ଥ ରହିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। 

ଅପରପକ୍ଷରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍‌ ହସ୍ପିଟାଲରେ ୫୭ ଶିଶୁ ଜନ୍ମ ନେଇଥିବା ବେଳେ ତହିଁରୁ ୩୨ କରୋନା ସଂକ୍ରମିତ ଗର୍ଭବତୀଙ୍କ ଠାରୁ ଜନ୍ମ ନେଇଛନ୍ତି। ୩୨ଶିଶୁଙ୍କ ମଧ୍ୟରୁ ୧୬ଜଣ ଲେଖାଏଁ ଶିଶୁପୁତ୍ର ଓ ଶିଶୁକନ୍ୟା ରହିଥିବା କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ପାଇଁ ଯାଉଥିବା ଗର୍ଭବତୀ‌ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ୍ ଥିବା ଜଣାପଡ଼ୁଛି। ପରବର୍ତୀ ସମୟରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି।

ମତାମତ ଦିଅନ୍ତୁ ।