Thu. Jan 23rd, 2020

ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ବନ୍ଦୀକରି ‘ଯୌନ କ୍ରୀତଦାସୀ’ କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଉନ୍ନାଓରେ ୨୦୧୮ ଡିସେମ୍ବରରେ ଘଟିଥିବା ଗଣଦୁଷ୍କର୍ମର ପୀଡ଼ିତାଙ୍କୁ ଗତକାଲି ଅଭିଯୁକ୍ତମାନେ ଜୀଅନ୍ତା ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିବା ବେଳେ ସେ ଗୁରୁତର ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ଜମାନବନ୍ଦୀ ରେକର୍ଡ କରିଛି ପୋଲିସ। ପୀଡ଼ିତା ଯାହା କହିଛି ଅଭିଯୁକ୍ତମାନେ ତାଙ୍କୁ କେବଳ ଗଣଦୁଷ୍କର୍ମ କରି ନଥିଲେ, ଗୋଟିଏ ଘରେ ତାଙ୍କୁ ବନ୍ଦୀକରି ରଖିବା ସହିତ ମାରଧର କରି ‘ଯୌନ କ୍ରୀତଦାସୀ’ ରୂପେ ବ୍ୟବହାର କରୁଥିଲେ। ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରି ଧମକ ଦେଉଥିଲେ ଯଦି ଏହି ଘଟଣା ବାବଦରେ କାହାକୁ କିଛି କହନ୍ତି ତେବେ ସମସ୍ତ ଭିଡିଓକୁ ଇଣ୍ଟରନେଟରେ ଭାଇରାଲ କରିଦିଆଯିବ।

ପୀଡ଼ିତା କହିଛନ୍ତି ଶିଭମ୍‌ ତ୍ରିବେଦୀ ନାମକ ଜଣେ ଯୁବକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ରାଏବରେଲୀର ଲାଲଗଞ୍ଜକୁ ‌ନେଇ ଯାଇଥିଲେ। ସେଠାରେ ବିବାହ କରିବା ପରିବର୍ତ୍ତେ ତାଙ୍କୁ ଗୋଟିଏ ଘରେ ବନ୍ଦୀକରି ସେ ଓ ତାର ବନ୍ଧୁମାନେ ଦୁଷ୍କର୍ମ କରିବା ସହିତ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ଏ ସଂପର୍କରେ ପୀଡ଼ିତା ମାର୍ଚ୍ଚ ୫ ତାରିଖରେ ପ୍ରଥମେ ଉନ୍ନାଓର ଭଟ୍ଟ ପୋଲିସ୍‌ ଥାନା ଓ ମାର୍ଚ୍ଚ ୬ ତାରଖରେ ଲାଲଗଞ୍ଜ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିନେଇ ଏକ ଘରେ ବନ୍ଦୀକରି ରଖିବା ସହ ତାଙ୍କ ସହ ‘ଯୌନ କ୍ରୀତଦାସୀ’ ସ୍ଵରୂପ ବ୍ୟବହାର କରୁଥିଲେ। ଗତକାଲି ପୀଡ଼ିତା କୌଶଳ କ୍ରମେ ଖସିଯାଇ ରାଏବରେଳୀ ଅଦାଳତକୁ ଯାଉଥିବା ବେଳେ ଦୁଇଜଣ ଦୁଷ୍କର୍ମକାରୀଙ୍କ ସମେତ ଅନ୍ୟ ୩ଜଣ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *