Thu. Jan 23rd, 2020

ହସ୍ପିଟାଲରେ ଆଖି ବୁଜିଲେ ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଉନ୍ନାଓର ଗଣଦୁଷ୍କର୍ମ ପୀଡ଼ିତା ଶୁକ୍ରବାର ରାତି ୧୧ଟା ୪୦ରେ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲରେ ଆଖି ବୁଜିଛନ୍ତି। ଗୁରୁବାର ସକାଳେ ପୀଡ଼ିତା କେସ୍‌ର ଶୁଣାଣି ପାଇଁ ରାଇବରେଲି କୋର୍ଟ ଯାଉଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରେଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ପୀଡ଼ିତାଙ୍କ ଶରୀର ୯୦ ପ୍ରତିଶତ ଜଳି ଯାଇଥିଲା। ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ତାଙ୍କୁ ଲକ୍ଷ୍ନୌର ସରକାରୀ ହସ୍ପିଟାଲ ଓ ପରେ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଥିଲା। ମାତ୍ର ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନଥିଲେ। ରାତି ୧୧ଟା ୧୦ରେ ତାଙ୍କର ହୃଦ୍‌ଘାତ ‌ହୋଇଥିଲା। ୧୧ଟା ୪୦ରେ ସେ ପ୍ରାଣ ହରାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଡିସେମ୍ବର ମାସରେ ଉନ୍ନାଓର ଏହି ଯୁବତୀଙ୍କୁ ତାଙ୍କ ଗ୍ରାମର ଦୁଇଜଣ ଯୁବକ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇଥିଲା। ନିକଟରେ ସେମାନେ ଜାମିନ୍‌ରେ ଆସିଥିଲେ। ଗୁରୁବାର ସେମାନେ ଅନ୍ୟ ତିନିଜଣଙ୍କ ସହ ମିଶି ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିଲେ। ଏହି ଘଟଣାର କିଛି ସମୟ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଗ୍ରାମର ହରି ଶଙ୍କର ତ୍ରିବେଦୀ, ରାମକିଶୋର ତ୍ରିବେଦୀ, ଉମେଶ ବାଜପେୟୀ, ଶିବରାମ ତ୍ରିବେଦୀ ଓ ଶୁଭମ ତ୍ରିବେଦୀ ଏହି କାଣ୍ଡ ଘଟାଇଥିବା ପୀଡ଼ିତା କହିଥିଲେ। ବୟାନ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *