Thu. Jan 23rd, 2020

ବିଳମ୍ବ ପାଇଁ ବର ହେଲା ଶିଶୁପାଳ, ମାଡ ଖାଇଲେ ବରଯାତ୍ରୀ

ନୂଆଦିଲ୍ଲୀ : ରାଜସ୍ଥାନର ବିଜନୋର ଅଞ୍ଚଳରେ ଲୋକେ ନେଇଛନ୍ତି ଏକ ବିଚିତ୍ର ନିଷ୍ପତ୍ତି। କନ୍ୟା ଗାଁ’ ନଙ୍ଗଲଜତରେ ପହଞ୍ଚିବାରେ ବିଳମ୍ବ ହେବାରୁ ବରକୁ ଶିଶୁପାଳ ହେବାକୁ ପଡିଛି। ଏମିତିକି କନ୍ୟା ଘର ଲୋକମାନେ ବରକୁ ଘରେ ପୂରାଇ କବାଟ କିଳିବା ସହ କନ୍ୟାକୁ ଅନ୍ୟତ୍ର ବିବାହ ଦେଇଛନ୍ତି। କେବଳ ସେତିକି ନୁହେଁ ବରଯାତ୍ରୀଙ୍କୁ ମାଡମାରି ସେମାନଙ୍କ ଠାରୁ ମୂଲ୍ୟବାନ ଜିନିଷପତ୍ର ଛଡ଼ାଇ ନେଇଛନ୍ତି।

ପୋଲିସ କହିଛି ଛଅ ସପ୍ତାହ ତଳେ ଏକ ଗଣ ବିବାହରେ ବର ଓ କନ୍ୟାଙ୍କର ବିବାହ ସରିଥିଲା। ଶୁକ୍ରବାର ଦିନ ସେମାନେ ବାଜାରୋଶଣି ସହ ନଙ୍ଗଲଜତ ଗାଁରେ ବାହାଘର କରାଇବାକୁ ସ୍ଥିର କରିଥିଲେ। ରୀତିନୀତି ଅନୁସାରେ ପୁଣି ଥରେ ବାହା ହେବାକୁ ଦମ୍ପତି ଚାହିଁବାରୁ ଗଣବିବାହ ପରେ କନ୍ୟା ଶାଶୂଘର ବିଜନୋର ଧରମପୁର ସହରକୁ ନଯାଇ ବାପଘରେ ଥିଲେ। କିନ୍ତୁ ଯୌତୁକକୁ ନେଇ ଉଭୟ ପରିବାର ମଧ୍ୟରେ ମନୋମାଳିନ୍ୟ ଉପୁଜିଥିଲା। କାରଣ ଯୌତୁକ ବାବଦକୁ ନଗଦ ଟଙ୍କା ଓ ମୋଟରସାଇକେଲ ଦେବା ସ୍ଥିତିରେ କନ୍ୟା ପକ୍ଷ ନଥିଲେ। ବିଳମ୍ବ ଏଥିପାଇଁ ଆଣିଦେଲା ସୁଯୋଗ। ରାତି ୨ଟାରେ କହି ବହୁ ବିଳମ୍ବରେ ବର ଓ ବରଯାତ୍ରୀ ଆସି ପହଞ୍ଚିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଯାହାଫଳରେ ବରଯାତ୍ରୀଙ୍କୁ ମୁକୁଳାଇବାକୁ ପୋଲିସର ହସ୍ତକ୍ଷେପ ଆବଶ୍ୟକ ହୋଇଥିଲା।

ଉଭୟ ପକ୍ଷ ଥାନାରେ ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ। ଶନିବାର ଦିନ ଘଟଣାର ଆପୋସ ସମାଧାନ କରାଯିବା ପରେ କନ୍ୟା ନିଜ ଗାଁର ଅନ୍ୟ ଜଣେ ଯୁବକଙ୍କୁ ବିଭା ହୋଇଛି। ଗଣ ବିବାହରେ ବାହା ହୋଇଥିବା ବର ସହିତ କନ୍ୟା ଯିବିନାହିଁ କହିବା ସବୁ ଅପ୍ରୀତିକର ପରିସ୍ଥିତିର କାରଣ ହୋଇଥିବା ବେଳେ ଶନିବାର ତାଙ୍କ ପଡ଼ିଶାର ଅନ୍ୟ ଜଣେ ଯୁବକଙ୍କୁ ବାହା ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *