Thu. Jan 23rd, 2020

କଂଗ୍ରେସ ନେତ୍ରୀମାନେ କ’ଣ ପୌର ନିର୍ବାଚନ ଲଢିବେ ?

ଭୁବନେଶ୍ଵର (ଯଦୁନାଥ ଓଝା) : ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ଦିଲ୍ଲୀ ଯାଇଥିଲେ ଅସନ୍ତୁଷ୍ଟ କଂଗ୍ରେସ ନେତ୍ରୀ। କୁହାଯାଉଥିଲା ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ। କିନ୍ତୁ ଏଇ ନେତ୍ରୀ ମାନଙ୍କର ଫୋଟୋ ଏବେ ଭୁବନେଶ୍ଵର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ ଦେଖିବାକୁ ମିଳିଛି। ଏହାର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଚର୍ଚ୍ଚା ହେଉଛି ସେମାନେ କଂଗ୍ରେସ ଛାଡି ବିଜେପିରେ ମିଶିବେ। ସତ କ’ଣ ? ଆଗକୁ ପୌର ନିର୍ବାଚନ ହେବ। ବିଜେପିରେ ମିଶି ଏଇ କଂଗ୍ରେସ ନେତ୍ରୀମାନେ କ’ଣ ପୌର ନିର୍ବାଚନ ଲଢିବେ ?

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ କଂଗ୍ରେସର ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ନେତୃତ୍ଵରେ ୭ରୁ ଅଧିକ ମହିଳା କଂଗ୍ରେସ ନେତ୍ରୀ ସପ୍ତାହ ହେଲା ଦିଲ୍ଲୀରେ ଡେରା ପକାଇଛନ୍ତି। ରାଜ୍ୟରେ କଂଗ୍ରେସର ସ୍ଥିତି ଓ ନେତୃତ୍ଵ ପରିବର୍ତ୍ତନ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ। ମହମ୍ମଦ ମୋକିମଙ୍କ ସପକ୍ଷରେ କହିବାକୁ ଯାଇଥିବା ଏଇ ନେତ୍ରୀଙ୍କ ପାଇଁ ପିସିସି ସଭାପତି ଚିନ୍ତାରେ ରହିଥିବା ବେଳେ ଯୋଜନା ଭଣ୍ଡୁର କରିବାକୁ ପ୍ରୟାସ ଚାଲିଥିବା ଦଳୀୟ ଲୋକେ ଆଲୋଚନା କରୁଛନ୍ତି। ସେମାନଙ୍କ ମତ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ସହ କଂଗ୍ରେସ ନେତ୍ରୀମାନେ ଉଠାଯାଇଥିବା ଫୋଟୋ ଏହି ସମୟରେ ବେଶ ସହାୟକ ହେବ। କାରଣ ଫୋଟୋ କେଉଁ ପରିସ୍ଥିତିରେ ଉଠାଯାଇଛି ତାହାର ସଠିକ ସୂଚନା କାହାରି ପାଖରେ ନାହିଁ। କିନ୍ତୁ ଚର୍ଚ୍ଚା ହେଉଛି ଅପରାଜିତାଙ୍କ ମଧ୍ୟସ୍ଥତାରେ ଅସନ୍ତୁଷ୍ଟ କଂଗ୍ରେସ ନେତ୍ରୀମାନେ ବିଜେପିରେ ମିଶିବେ। ଏଥିରେ ସତ୍ୟତା ଥାଉ ବା ନଥାଉ ସଂସଦରେ ଓ ବାସଭବନରେ ଅପରାଜିତାଙ୍କ ସହିତ ନେତ୍ରୀମାନଙ୍କୁ ଦେଖିବାକୁ ମିଳିଛି ବୋଲି ଦର୍ଶାଯାଉଛି ଯୁକ୍ତି। ହେଲେ ଚିନ୍ତା କରିବା କଥା ଏବେ ବିଜେପିରେ ମିଶିଲେ ଫାଇଦା କ’ଣ ? ଆଗକୁ ପୌର ନିର୍ବାଚନ ଆସୁଛି। ବିଜେପିରେ ମିଶି ଏଇ କଂଗ୍ରେସ ନେତ୍ରୀମାନେ କ’ଣ ପୌର ନିର୍ବାଚନ ଲଢିବେ ?

ବର୍ତ୍ତମାନ କଥା ଉଠିଛି ବିଜେପି ଏହି ନେତ୍ରୀମାନଙ୍କୁ ଦଳରେ ସାମିଲ କରିବାକୁ କୌଣସି ନିଷ୍ପତ୍ତି ନେଇନାହିଁ। କଂଗ୍ରେସ ଛାଡିବା ପରେ ବିଜେପି ସଂଗଠନରେ ତୁରନ୍ତ ସେମାନଙ୍କୁ ସାମିଲ କରିବାକୁ କୁଆଡେ ସର୍ତ୍ତ ରଖାଯାଇଛି। ଏଥିରେ ବିଜେପି ରାଜି ହେଉନାହିଁ। ଦଳରେ ମିଶିବା ପରେ ଥଇଥାନ କଥା ବିଚାର କରାଯିବ କୁହାଯିବାରୁ ମିଶ୍ରଣ ପ୍ରକ୍ରିୟା ବିଳମ୍ବିତ ହେଉଛି। ଏଭଳି ଚର୍ଚ୍ଚାକୁ ରାଜନୈତିକ ମହଲରେ ଗ୍ରହଣ କରାଯାଇ ପାରୁନି। କାରଣ ଅପରାଜିତଙ୍କ ସହିତ ଫୋଟୋ ଉଠାଇଦେଲେ ଯଦି ବିଜେପିରେ ମିଶିବେ ବୋଲି କୁହାଯିବ ତାହେଲେ ଆଉ କାହା ସହିତ କାହାର ସମ୍ପର୍କ ରହିବନି। ହୁଏତ ପିସିସି ସଭାପତିଙ୍କ ସପକ୍ଷବାଦୀମାନେ ଏପରି କଥା ଉଠାଇ ଥାଇ ପାରନ୍ତି। ଏହାଦ୍ୱାରା ଦିଲ୍ଲୀ ଯାଇଥିବା ନେତ୍ରୀମାନଙ୍କ କଥା ସୋନିଆ ଆଉ ଶୁଣିବେନି। ଏମିତିକି ଭେଟିବାକୁ ସୁଯୋଗ ବି ମିଳିନପାରେ। ଯଦି ଏହା ସତ ହୁଏ ତବେ ନିରଞ୍ଜନ ଫାଇଦାରେ ରହିବେ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *