Wed. Jan 29th, 2020

ରାଜ୍ୟସଭା : ୬୯ ସଦସ୍ୟଙ୍କ କାର୍ଯ୍ୟକାଳ ସରିବ, ବିଜେପି ସଂଖ୍ୟାଗରିଷ୍ଠ ହେବା ଆଶା କମ୍

ଚଳିତବର୍ଷ ରାଜ୍ୟସଭାର ୬୯ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ। ସେଥିମଧ୍ୟରୁ ୧୮ଜଣ ବିଜେପିର ଓ ୧୭ଜଣ କଂଗ୍ରେସ ସଦସ୍ୟଙ୍କ କାର୍ଯ୍ୟକାଳ ପୁରିବାକୁ ଯାଉଥିବା ବେଳେ ପୂର୍ବରୁ ୪ଟି ଆସନ ଖାଲି ପଡ଼ିଛି। ତେଣୁ ମୋଟ ୭୩ଟି ଆସନ ପାଇଁ ନିର୍ବାଚନ ହେବ। ତେବେ ରାଜ୍ୟସଭାରେ ବିଜେପିର ସଂଖ୍ୟା ବଢିବ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ସୂଚନା ଅନୁଯାୟୀ ୨୦୨୦ ମସିହାରେ ଉତ୍ତରପ୍ରଦେଶରେ ୧୦ଟି ରାଜ୍ୟସଭା ଆସନ ଖାଲି ହେବ। ଯେହେତୁ ସେଠାରେ ବିଜେପି ସରକାର ରହିଥିବାରୁ ଅଧିକାଂଶ ଆସନ ବିଜେପି ହାସଲ କରିବ। ଏହାଦ୍ୱାରା ସବୁଠୁ ବେଶୀ କ୍ଷତି ସମାଜବାଦୀ ପାର୍ଟି ସହିବ ବୋଲି କୁହାଯାଇଛି। ଏ ସମ୍ପର୍କରେ କରାଯାଇଥିବା ଆକଳନ ଅନୁସାରେ ରାଜ୍ୟସଭାରେ ବିଜେପିର ସ୍ଥିତି ସୁଧୁରିବା ସମ୍ଭାବନା ସେତେଟା ନାହିଁ। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳର ପ୍ରଭାବ ରାଜ୍ୟସଭା ନିର୍ବାଚନ ଉପରେ ପଡିବ। ଯେଉଁସବୁ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଛି। ସେହି ରାଜ୍ୟ ଗୁଡିକରେ ଶାସକ ଦଳର ପ୍ରାର୍ଥୀ ରାଜ୍ୟସଭାକୁ ଯିବେ। କାରଣ ସଂଖ୍ୟା ଗଣତିରେ ବିଜେପି ପଛରେ ରହିବ। ତେଣୁ କୁହାଯାଉଛି ବିଜେପି ରାଜ୍ୟସଭାରେ ସଦସ୍ୟ ସଂଖ୍ୟା ବୃଦ୍ଧି କରି ସଂଖ୍ୟାଗରିଷ୍ଠ ହେବା ଆଶା କମ୍।

ଅନ୍ୟପକ୍ଷରେ ରାଜ୍ୟସଭାରେ ଏଥର କଂଗ୍ରେସର ସ୍ଥିତି ଭଲ ରହିବ। କଂଗ୍ରେସ୍ ଓ ସହଯୋଗୀ ଦଳର ସଦସ୍ୟଙ୍କ ସଂଖ୍ୟା ବଢିବ। ୨୦୧୮ ଓ ୨୦୧୯ରେ ବିଜେପିକୁ କିଛି ରାଜ୍ୟରେ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ କଂଗ୍ରେସ ଓ ସହଯୋଗୀ ମେଣ୍ଟ ସେଠାରେ ସରକାର ଗଢିବାକୁ ସକ୍ଷମ ହୋଇଛନ୍ତି। ସେ ଦୃଷ୍ଟିରୁ ଏହି ଦଳର ରହିବ ରାଜ୍ୟସଭାରେ ପ୍ରଭାବ। ବର୍ତ୍ତମାନ ରାଜ୍ୟସଭାରେ ବିଜେପିର ୮୩ ଓ କଂଗ୍ରେସର ୪୬ଜଣ ସଦସ୍ୟ ଅଛନ୍ତି। ଯଦି ସମୀକରଣ ଆଧାରରେ ହିସାବ କରାଯାଏ ତାହେଲେ ବିଜେପିର ସଂଖ୍ୟା ୮୩ ଉପରକୁ ଯିବନାହିଁ। ବରଂ ତଳକୁ ଖସିପାରେ ବୋଲି ରାଜନୈତିକ ବିଶାରଦମାନେ ମତ ଦେଉଛନ୍ତି।

ଉଲ୍ଲେଖ୍ୟଯୋଗ୍ୟ ଯେ, ମୋଟ ୨୫୦ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ୧୨ଜଣ ସଦସ୍ୟଙ୍କୁ ଭାରତର ରାଷ୍ଟ୍ରପତି ମନୋନୀତ କରିନ୍ତି। ବାକି ୨୩୮ରାଜ୍ୟ ଓ ସଙ୍ଘ-ରାଜ୍ୟ ଦ୍ଵାରା ବଛାଯାଇଥିବା ସଦସ୍ୟ। ସେମାନେ ବିଧାନସଭାରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ଦ୍ଵାରା ନିର୍ବାଚିତ ହୋଇ ରାଜ୍ୟସଭାକୁ ଆସନ୍ତି। ସଦନରେ ପ୍ରତ୍ୟେକ ରାଜ୍ୟର ପ୍ରତିନିଧିଙ୍କ ସଂଖ୍ୟା କେତେ ହେବ,ଏହା ସେଠାକାର ଜନସଂଖ୍ୟା ଉପରେ ନିର୍ଭର କରିଥାଏ।

Leave a Reply

Your email address will not be published. Required fields are marked *