Wed. Jan 29th, 2020

କଂଗ୍ରେସରେ କନ୍ଦଳ ଜଳଜଳ ଦିସୁଛି

ଭୁବନେଶ୍ୱର : ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଛକାପଞ୍ଝା ଚାଲିଛି। ଦଳରେ କନ୍ଦଳ ଜଳଜଳ ହୋଇ ଦିସୁଛି। ହେଲେ ଓଡିଶା କଂଗ୍ରେସର ମଙ୍ଗୁଆଳ କିଏ ହେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ପିସିସି ପକ୍ଷରୁ କମିଟି ଗଢ଼ାଯିବାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଯୁବ କଂଗ୍ରେସ ସଭାପତିଙ୍କୁ ପରିବର୍ତ୍ତନ ଅଧିକାର ପିସିସିର ନାହିଁ ବୋଲି କହିଛନ୍ତି ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ। ଏହା ନିରଞ୍ଜନଙ୍କ କ୍ଷମତା ପ୍ରତି ଚ୍ୟାଲେଞ୍ଜ। କେବଳ ସେତିକି ନୁହେଁ ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ଗଠନ କରାଯାଇଥିବା କମିଟିର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୋମବାର ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ଯୋଗ ଦେଇ ଲୋକନାଥ ମହାରଥୀ ଏବେବି ରାଜ୍ୟ ଯୁବ କଂଗ୍ରେସର ସଭାପତି ଅଛନ୍ତି ବୋଲି କହିଛନ୍ତି। ପ୍ରତିଭା ରଘୁବଂଶୀଙ୍କ ଏହି ବୟାନ ରାଜ୍ୟ କଂଗ୍ରେସରେ ନୂଆ ବିବାଦ ସୃଷ୍ଟି କରିଛି। ପୂର୍ବରୁ ଏଆଇସିସି ଓଡ଼ିଶାର ସମସ୍ତ କମିଟିକୁ ଭାଙ୍ଗି ଦେଇଥିବା ବେଳେ ଯୁବ କଂଗ୍ରେସ କମିଟି ଭାଙ୍ଗିଥିବା କୁହାଯାଇଥିଲା। କିନ୍ତୁ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ପରେ ଉକ୍ତ କମିଟି ଭାଙ୍ଗିନଥିବା ଓ ଶ୍ରୀ ମହାରଥୀ ଯୁବକଂଗ୍ରେସ ସଭାପତି ଥିବା ସ୍ପଷ୍ଟ ହୋଇଛି। ରଘୁବଂଶୀଙ୍କ ବୟାନ ଉପରେ ପିସିସି ପକ୍ଷରୁ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ।

ଏହା ପୂର୍ବରୁ ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ପିସିସି ଦ୍ୱାରା ଗଠିତ କମିଟିର ବୈଠକ ବସିଥିଲା। ଏହି ବୈଠକରେ ପରବର୍ତ୍ତୀ ଯୁବ ସଭାପତି ଓ ସଂଗଠନ ପରିଚାଳନା ପାଇଁ ଯୁବନେତାମାନେ ନିଜର ମତାମତ ଦେଇଥିଲେ। ବୈଠକ ପରେ କମିଟିର ଆବାହକ ପ୍ରଦୀପ ମାଝୀ କହିଥିଲେ ଯୁବ କଂଗ୍ରେସ ସଭାପତି ପଦ ପାଇଁ କମିଟି ୪ଜଣଙ୍କ ନାଁ ଉପରେ ବିଚାର କରୁଛି। ଆସନ୍ତା ୩ଦିନ ମଧ୍ୟରେ ନାମ ଚୂଡ଼ାନ୍ତ କରି ପିସିସିକୁ ତାଲିକା ପ୍ରଦାନ କରାଯିବ। ପିସିସିର ସୁପାରିଶ ଆଧାରରେ ଏଆଇସିସି ନାମ ଘୋଷଣା କରିବ। ଅନ୍ୟପକ୍ଷରେ ପରବର୍ତ୍ତୀ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଲୋକନାଥ ମହାରଥୀଙ୍କ ସମେତ ମନୋଜ ବିଶ୍ୱାଳ, ଅଭିଳାଷ ମାଣିଆ, ରାଜୀବ ପଟ୍ଟନାୟକ ଓ ନିରଞ୍ଜନ ନାୟକ ପ୍ରମୁଖ ଦାବିଦାର ଥିବା ଜଣାପଡ଼ିଛି। ଗତ ଜାନୁୟାରୀ ୭ତାରିଖରେ ପିସିସି ପକ୍ଷରୁ ରାଜ୍ୟସଭା ସାଂସଦ ରଞ୍ଜିବ ବିଶ୍ୱାଳଙ୍କ ନେତୃତ୍ୱରେ ୪ଜଣିଆ କମିଟି ଗଠନ ହୋଇଥିଲା। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ମାଝୀ, ସଂଗ୍ରାମ କେଶରୀ ଜେନା ଓ ରଜତ ଚୌଧୁରୀ ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *