Wed. Feb 19th, 2020

ଲଙ୍ଗର ବାବା କହିଲେ ‘ପଦ୍ମଶ୍ରୀ’ ବଦଳରେ ମୋତେ ଆୟକର ଛାଡ଼ କରାଯାଉ

ନୂଆଦିଲ୍ଲୀ : ଲଙ୍ଗର ବାବା ଓରଫ ଜଗଦୀଶ ଆହୁଜାଙ୍କୁ ମିଳିଛି ‘ପଦ୍ମଶ୍ରୀ’ ସମ୍ମାନ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା ପରେ ସେ କହିଛନ୍ତି ପଦ୍ମଶ୍ରୀ ସମ୍ମାନ ବଦଳରେ ତାଙ୍କୁ ଆୟକର ଛାଡ଼ କରାଯାଉ। ଏହାହେଲେ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇ ପାରିବେ।

ଖବର ଅନୁଯାୟୀ ଚଣ୍ଡିଗଡ଼ରେ ଜଗଦୀଶ ବା ଲଙ୍ଗର ବାବା ୩୯ ବର୍ଷ ହେଲା ମାଗଣାରେ ଲୋକମାନଙ୍କୁ ଆହାର ପରଷୁଛନ୍ତି। ଲୋକଙ୍କ ସେବା ପାଇଁ ନିଜ ସବୁ ସମ୍ପତ୍ତି ବିକ୍ରି କରି ସାରିଲେଣି। ଏଥିରେ ଆତ୍ମ ସନ୍ତୋ​‌ଷ ମିଳୁଥିବା ସେ କହିଛନ୍ତି। ଜଗଦୀଶଙ୍କ ଜୀବନ ଅତି ଦୁଃଖରେ କଟିଛି। ପଟିଆଲାରେ ଗୁଡ଼ ଓ ଫଳ ବିକ୍ରିକରି ନିଜର ଗୁଜୁରାଣ ମେଣ୍ଟାଉଥିଲେ।

୧୯୫୬ ମସିହାରେ ପ୍ରାୟ ୨୧ ବର୍ଷ ବୟସରେ ସେ ଚଣ୍ଡିଗଡ଼ରେ ପହଞ୍ଚିଥିଲେ। ସେଠାରେ ଏକ ଭଡ଼ା ଘର ନେଇ ଆରମ୍ଭ କରିଥିଲେ ଫଳ ବେପାର। ଆସିବା ସମୟରେ ତାଙ୍କ ପାଖରେ ଥିଲା ମାତ୍ର ୪ଟଙ୍କା ୧୫ ପଇସା। ବହୁ ସଂପର୍ଘ ପରେ ସେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ରୋଜଗାର ଭଲ ଅଛି। ୧୯୪୭ ମସିହାରେ ତାଙ୍କ ଜନ୍ମସ୍ଥାନ ପେଶାୱାରରୁ ବିସ୍ଥାପିତ ହୋଇ ପଞ୍ଜାବର ମାନସା ସହରରେ ୧୨ ବର୍ଷରୁ ସଂପର୍ଘ ଆରମ୍ଭ କରିଥିଲେ। ଜଗଦୀଶ ଆଜି ଲଙ୍ଗର ବାବା ନାମରେ ବେଶ ପରିଚିତ। ଏବେ ବୟସ ୮୫। କିନ୍ତୁ ଥକିଯାଇ ନାହାନ୍ତି। ପରିଣତ ବୟସରେ ବି ବାଟରେ ଗଲା ଲୋକଙ୍କୁ ଡାକି ଅନ୍ନ ପ୍ରଦାନ କରିବା ଲଙ୍ଗର ବାବାଙ୍କର ହେଉଛି ନିତିଦିନିଆ କାମ। ତେଣୁ ଲୋକମାନେ ଶ୍ରଦ୍ଧାରେ  ତାଙ୍କୁ ଲଙ୍ଗର ବାବା ଡାକନ୍ତି। ତାଙ୍କର ଏହି ମହତ କାର୍ଯ୍ୟା ପାଇଁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *