Wed. Feb 26th, 2020

ରାଜକ୍ଷମା ନାକଚ ବିରୋଧରେ ମୁକେଶର ଆବେଦନ ସୁପ୍ରିମ୍‌ କୋର୍ଟରେ ଖାରଜ

ନୂଆଦିଲ୍ଲୀ : ରାଜକ୍ଷମା ନାକଚ ବିରୋଧରେ ନିର୍ଭୟା ଦୋଷୀ ମୁକେଶ ସିଂହ କରିଥିବା ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ରାଜକ୍ଷମା ନିବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ନାକଚ ହେବାପରେ ଏହା ବିରୋଧରେ ଜରୁରୀ ଶୁଣାଣି ଲାଗି ଜାନୁଆରି ୨୭ ତାରିଖ ଦିନ ମୁକେଶ ସୁପ୍ରିମ୍‌ କୋର୍ଟ ଯାଇଥିଲେ।

ବିଚାରପତି ଆର୍‌. ବାନୁମତୀଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଆଜି ରାୟରେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଠାରେ ସରକାର ସମସ୍ତ ପ୍ରାସଙ୍ଗିକ କାଗଜପତ୍ର ଦାଖଲ ଦାଖଲ କରିନାହାନ୍ତି ବୋଲି ମୁକେଶ ସିଂହ ବାଢ଼ିଥିବା ଯୁକ୍ତିର କୌଣସି ଯଥାର୍ଥତା ନାହିଁ। ଜେଲ୍‌ରେ ଦୁର୍ଦ୍ଦଶା ଓ ଅପମାନ ଭୋଗିଛି ବୋଲି ମୁକେଶ କହିଥିବା କଥାକୁ ମଧ୍ୟ ଖଣ୍ଡପୀଠ ଏଡ଼ାଇ ଦେଇଛନ୍ତି। ବିଚାରପତି ଆର୍‌. ବାନୁମତୀ, ଅଶୋକ ଭୂଷଣ ଓ ଏଏସ୍‌ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ରାଷ୍ଟ୍ରପତିଙ୍କ ରାଜକ୍ଷମା ବିରୋଧରେ ଚାଲେଞ୍ଜ୍‌ କରିବା ନିମନ୍ତେ ଜେଲ୍‌ରେ ଭୋଗିଥିବା ଦୁର୍ଦ୍ଦଶାକୁ କାରଣ ଭାବେ ଉପସ୍ଥାପନ କରାଯାଇ ପାରିବ ନାହିଁ।

ଅନ୍ୟପକ୍ଷରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା କୋର୍ଟକୁ କହିଥିଲେ ମୃତ୍ୟୁ ଦଣ୍ଡ ପାଇଥିବା ଦୋଷୀଙ୍କ ପ୍ରତି ମଧ୍ୟ ଉତ୍ତମ ବ୍ୟବହାର ପ୍ରଦର୍ଶନ ହେବ ବୋଲି ସମ୍ବିଧାନର ଧାରା ୨୧ରେ ଉଲ୍ଲେଖ ରହିଛି। କୌଣସି ମାମଲାର ବିଚାରରେ ହେଉଥିବା ବିଳମ୍ବ ବିରୋଧରେ ଆବେଦନ କରିହେବ କିନ୍ତୁ ତୁରନ୍ତ ମାମଲାର ବିଚାର କରାଯିବା ବିରୋଧରେ କୌଣସି ଚାଲେଞ୍ଜ୍‌ କରିହେବ ନାହିଁ।

Leave a Reply

Your email address will not be published. Required fields are marked *