Sun. Feb 23rd, 2020

ଦ୍ରୋଣଗିରି ପର୍ବତରୁ ସଞ୍ଜିବନୀ ବୁଟିର ସନ୍ଧାନ ମିଳିଲା

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଦ୍ରୋଣଗିରି ପର୍ବତରେ ସଞ୍ଜିବନୀ ବୁଟି। ଏ ଖବର ମିଳିବା ପରେ ଜଙ୍ଗଲ ବିଭାଗର ଅନୁସନ୍ଧାନ ଶାଖା ବନସ୍ପତିର ବୈଜ୍ଞାନିକମାନେ ପିଥୋରାଗଡର ଜୌଲଜୀବି ଅଞ୍ଚଳରେ ସଞ୍ଜିବନୀ ବୁଟି ମିଳିଥିବା ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଏହି ବୁଟିକୁ ଲକ୍ଷ୍ନୌ ସ୍ଥିତ ନ୍ୟାସନାଲ ବଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅର୍ଥାତ ଏନବିଆରଆଇକୁ ପଠାଯିବ। ଏହାର ରାସାୟନିକ ଗୁଣର ଯାଞ୍ଚ ପରେ ସଞ୍ଜିବନି ବୁଟି କି ନୁହେଁ ଜଣାପଡିବ।

ଏବେ ସଞ୍ଜିବନୀ ବୁଟି ଦୁଇଟି ସ୍ଥାନରୁ ମିଳିଛି। ବୈଜ୍ଞାନିକମାନେ କହିଛନ୍ତି ପିଥେରାଗଡର ଜୌଲଜୀବିରେ ମିଳିଥିବା ବୁଟି ଚମୋଲିର ଦ୍ରୋଣଗିରି ପର୍ବତରେ ମିଳିଥିବା ବୁଟି ଭଳି। ଦୁଇଟି ବୁଟୀ ସମାନ ଥିବାରୁ ବୈଜ୍ଞାନିକମାନେ ଖୋଜିଥିବା ସଞ୍ଜିବନୀ ବୁଟିକୁ ବନ ଅନୁସନ୍ଧାନ ଶାଖାର ହଲଦାନୀ ସ୍ଥିତ ନର୍ସରୀରେ ସଂରକ୍ଷିତ ରଖାଯାଇଛି। ଜୌଲଜୀବିରୁ ଯେଉଁ ବୁଟିର ସନ୍ଧାନ କରାଯାଇଛି ତା’ର ବିଶେଷତ୍ଵ ହେଉଛି ଏହା ଶୁଖିଲା ଘାସ ଭଳି ଦେଖାଯାଉଥିଲେ ହେଁ ପାଣିରେ ପକାଇବା ମାତ୍ରେ ସଙ୍ଗେ ସଙ୍ଗେ ସବୁଜ ରଙ୍ଗ ହୋଇଯାଉଛି। ଏହାର ଗୁଣକୁ ବୈଜ୍ଞାନିକଙ୍କ ଦ୍ଵାରା ଅଧ୍ୟୟନ କରାଯାଉଛି। ତେବେ ଏହି ବୁଟିରେ ଏମିତି କେଉଁ ରାସାୟନିକ ତତ୍ତ୍ଵ ରହିଛି ଯାହା ପାଣି ସମ୍ପର୍କରେ ଆସିବା ମାତ୍ରେ ସବୁଜ ହୋଇଯାଉଛି ତାହାର ଉପରେ ଏବେ ଗବେଷଣା ଚାଲିଛି।

ଅନ୍ୟପକ୍ଷରେ ଧାର୍ମିକ ମତ ଅର୍ଥାତ ରାମାୟଣରେ ବର୍ଣ୍ଣିତ କଥା ଅନୁସାରେ ଲଙ୍କପତି ରାବଣର ପୁତ୍ର ମେଘନାଦର ବୀରଘାତିନୀ ଶକ୍ତି ପ୍ରୟୋଗ ଦ୍ଵାରା ଲକ୍ଷ୍ମଣ ସଜ୍ଞାହୀନ ହୋଇଯାଇଥିଲେ। ଲକ୍ଷ୍ମଣଙ୍କ ଚେତା ଫେରାଇ ଆଣିବାକୁ ସୁଷେନ ବୈଦଙ୍କୁ ଡକାଯାଇଥିଲା। ବୈଦ କହିଥିଲେ ଦ୍ରୋଣଗିରି ପର୍ବତରେ ସଞ୍ଜିବନୀ ବୁଟି ରହିଛି। ଯଦି ତାହାକୁ ଅଣାଯାଇ ପାରିବ ତେବେ ଲକ୍ଷ୍ମଣ ବଞ୍ଚିବେ। ତେଣୁ ସଞ୍ଜିବନୀ ବୁଟି ଆଣିବା ପାଇଁ ହନୁମାନ ଯାଇଥିଲେ। କିନ୍ତୁ ସଞ୍ଜିବନୀ ବୁଟି ଚିହ୍ନି ନପାରି ଦ୍ରୋଣଗିରି ପର୍ବତର ଏକ ଭାଗକୁ ଟେକି ଆଣିଥିଲେ। ସୁଷେନ ବୈଦ ଏହି ବୁଟି ଦ୍ଵାରା ଲକ୍ଷ୍ମଣଙ୍କୁ ଭଲ କରିଥିଲେ। ରାମାୟଣ କାଳରୁ ଆଜି ପର୍ଯ୍ୟନ୍ତ ସଞ୍ଜିବନୀ ବୁଟିର ସନ୍ଧାନ କରାଯାଉଛି। ଯଦି ଦୁଇଟି ସ୍ଥାନରୁ ମିଳିଥିବା ବୁଟିରୁ ସେପରି ଔଷଧୀୟ ଗୁଣର ସନ୍ଧାନ ମିଳେ ତାହେଲେ ତାହା ସମସ୍ତଙ୍କୁ ଚକିତ କରିବ।

Leave a Reply

Your email address will not be published. Required fields are marked *