Sun. Feb 23rd, 2020

ଅବୈଧ ସଂପର୍କ ପରେ ବାହା ହେବାକୁ କହିବାରୁ କଳ୍ପନାକୁ ମାରିଦେଲେ ଅନୁପ ସାଏ

ଭୁବନେଶ୍ଵର : ଦୀର୍ଘ ଦିନର ଅବୈଧ ସଂପର୍କ ପରେ ବାହା ହେବାକୁ କହିବାରୁ କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲିକୁ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ। ଏହି ଅଭିଯୋଗରେ ଗତକାଲି ଛତିଶଗଡ଼ର ରାୟଗଡ଼ ପୋଲିସ ଅନୁପଙ୍କୁ ଗିରଫ କରିଥିଲା। ଆଜି ଏସ୍‌ପି ସନ୍ତୋଷ ସିଂହ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେବାପରେ ଅନୁପଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି କଳ୍ପନା ୨୦୦୫ରେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ୨୦୧୧ରେ ଅନୁପଙ୍କ ସଂପର୍କରେ ଆସିଥିଲେ। ଦୁହେଁ ଏକାଠି ରହୁଥିଲେ। ଅନୁପ ଭୁବନେଶ୍ୱର ସୁନ୍ଦରପଦାରେ ଫ୍ଲାଟ କିଣି କଳ୍ପନା ଓ ତାଙ୍କ ଝିଅ ବବଲିଙ୍କୁ ରଖିଥିଲେ। ସେଠାରେ ସେମାନେ ସ୍ୱାମୀସ୍ତ୍ରୀ ଭଳି ଚଳୁଥିଲେ। ୫ ବର୍ଷ ଏକାଠି ରହିବା ପରେ କଳ୍ପନା ବାହା ହେବାକୁ କହିଥିଲେ। ତେବେ ନିଜର ପରିବାର ଥିବାରୁ ଅନୁପ ବାହା ହେବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତା’ପରେ କଳ୍ପନାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଅନୁପ। ବାହାହେବାକୁ କହି ତାଙ୍କୁ ଛତିଶଗଡ଼ର ରାୟଗଡ଼ ନେଇଥିବା ବେଳେ ଏକ ଜଙ୍ଗଲ ରାସ୍ତାରେ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କରାଯାଇଥିଲା। ପ୍ରଥମେ କଳ୍ପନାଙ୍କୁ ହତ୍ୟା କରିବାର ଯୋଜନା କରାଯାଇଥିଲା। ନିଜର ବିଶ୍ୱସ୍ତ ଡ୍ରାଇଭର ଜରିଆରେ ଅନୁପ ହତ୍ୟା ଯୋଜନା କରିଥିଲେ। ଝିଅ ଜାଣିଯିବା ଭୟରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରି ରାସ୍ତାରେ ପକାଇ ଗାଡ଼ି ମଡ଼ା ଯାଇଥିଲା। ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ମଡ଼ାଇ ମୃତଦେହକୁ ବିକୃତ କରି ଦିଆଯାଇଥିଲା।

ସେ କହିଛନ୍ତି ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ କଳ୍ପନା ଓ ତାଙ୍କ ଝିଅଙ୍କ ଶବ ମିଳିଥିଲା। ହତ୍ୟା ପରେ ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ମୃତକଙ୍କୁ ଚିହ୍ନଟ ପାଇଁ ଆମ ଟିମ୍ ବିଭିନ୍ନ ରାଜ୍ୟକୁ ଯାଇଥିଲେ। ଘଟଣାର ପ୍ରାୟ ୧ ବର୍ଷ ପରେ ଦୁଇ ମୃତକଙ୍କ ପରିଚୟ ମିଳିଥିଲା। ମୃତକଙ୍କ ଜଣେ ସଂପର୍କୀୟ କନଷ୍ଟେବଲ୍‌ ସେମାନଙ୍କୁ ଚିହ୍ନଟ କରିଥିଲେ। ତା’ପରେ ମୋବାଇଲ କଲ୍ ରେକର୍ଡ ଯାଞ୍ଚ ପରେ ଅନୁପଙ୍କ ସଂପୃକ୍ତି ଜଣାପଡ଼ିଥିଲା। ତାଙ୍କୁ ହାଜର ହେବା ପାଇଁ ବାରମ୍ବାର ନୋଟିସ୍‌ ପରେ ବି ଆସି ନଥିଲେ। ନିଜ ରାଜନୈତିକ ପତିଆରା ପ୍ରଭାବରେ ସେ ହାଜର ହେଉ ନଥିଲେ। ଗତ ୬ ମାସ ହେଲାଣି ଆମେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲୁ। ଶେଷରେ ଠୋସ୍ ପ୍ରମାଣ ମିଳିଲା ପରେ ଗିରଫ କଲୁ।

ଏସ୍‌ପି କହିଛନ୍ତି ଗତକାଲି ଜେରା ବେଳେ ଅନୁପ ସବୁ କଥାକୁ ଫାଙ୍କିଥିଲେ ହେଁ ସତ ମାନିଥିଲେ। ଏ ଘଟଣାରେ ୬ଟି ରାଜ୍ୟରେ ୭ ଶହ ଲୋକଙ୍କୁ ପଚରାଉଚରା କରିଛୁ। ଅନୁପ ସାଏଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚରୁ ବହୁ ତଥ୍ୟ ମିଳିଥିଲା। ସେ ସେତେବେଳେ ଯେଉଁ ନମ୍ବର ବ୍ୟବହାର କରୁଥିଲେ ଏବେ ବି ତାହା ରଖିଛନ୍ତି। ରାସ୍ତାରେ ସେମାନେ ଅଟକି ଥିବା ଢାବାରେ ଲୋକ ଦେଖିଥିଲେ। କଲ୍ ରେକର୍ଡ ଯାଞ୍ଚ ଓ ଲୋକଙ୍କୁ ପଚରାଉଚରା କରି ତଥ୍ୟ ପାଇଥିଲୁ। ସେହିଭଳି ଅନୁପ ସାଏ ଏହା ଭିତରେ ଗୋଟିଏ ବଡ଼ ଭୁଲ୍ କରି ଦେଇଥିଲେ। ଯାହା ସହ ୫ ବର୍ଷ ରହିଥିଲେ ତାଙ୍କ ନିଖୋଜ ନେଇ ଏତଲା କରିନଥିଲେ। ଏବେ ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବାକୁ ଆବେଦନ କରାଯିବ। ହତ୍ୟାରେ ଅନୁପ ଓ ତାଙ୍କ ଡ୍ରାଇଭର ସହ ଆଉ କିଛି ସଂପୃକ୍ତ ଥାଇପାରନ୍ତି। ନାର୍କୋ ଟେଷ୍ଟ ହେଲେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ। ପୂର୍ବରୁ ମୃତ ମା’ଝିଅଙ୍କ ଡିଏନ୍‌ଏ ଟେଷ୍ଟ ହୋଇଛି ସେ କହିଛନ୍ତି।

ଏ ଖବର ଜଣାପଡ଼ିବା ପରେ ମୃତ କଳ୍ପନା ଦାସଙ୍କ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ କହିଛନ୍ତି ତାଙ୍କ (କଳ୍ପନା) ସହ ମୋର ଡିଭୋର୍ସ ହୋଇଥିଲା। ସେ ଜଣେ ଉଚ୍ଚାଭିଳାଷୀ ମହିଳା ଥିଲେ। ବହୁତ ବଡ଼ ସ୍ୱପ୍ନ ଦେଖୁଥିଲେ। ପ୍ରେମ ବିବାହ ପରେ ସେ ଆମ ଘରେ ରହୁ ନଥିଲେ କି ବାପାମା’ଙ୍କ ଯତ୍ନ ନେଉ ନଥିଲେ। ତେଣୁ କଳି ଝଗଡ଼ା ହେଉଥିଲା। ୨୦୦୪ରୁ ଅଲଗା ରହୁଥିଲୁ। ୨୦୧୧ରେ ଡିଭୋର୍ସ ହୋଇଥିଲା। ଡିଭୋର୍ସ ପରେ ଜାଣିଲି ସେ ଅନୁପ ସାଏଙ୍କ ପାଖରେ ରହୁଛି। ମୋ ଝିଅ ତାଙ୍କ ସାଥିରେ ରହୁଥିବାରୁ ମୁଁ ଦେଖା କରିବାକୁ ଯାଏ। କିନ୍ତୁ ମୋତେ ଦେଖା କରାଇବାକୁ ନଦେଇ ଗାଳିଗୁଲଜ କରନ୍ତି।

ସୁନୀଲଙ୍କ କହିବା ଅନୁଯାୟୀ ସେ ଆହୁରି ପ୍ରଥମେ ଅନୁପ ସାଏ କଲ୍ପନାଙ୍କୁ ନେଇ କଟକ ସିଡିଏରେ ରଖାଇଥିଲେ। ପରେ ଭୁବନେଶ୍ୱର ସୁନ୍ଦରପଦାରେ ରଖିଥିଲେ। କେବଳ ବଡ଼ ସ୍ୱପ୍ନ ଓ ଉଚ୍ଚାଭିଳାଷ ପାଇଁ ତାଙ୍କ ଜୀବନ ଗଲା। ବିନା ଦୋଷରେ ମୋ ଛୋଟ ଝିଅଟିକୁ ହତ୍ୟା କରିଥିବାରୁ ଅନୁପଙ୍କୁ ଫାଶି ହେଉ ବୋଲି ସେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *