Wed. Feb 26th, 2020

ବିଧାନସଭାରେ ଅଭିଭାଷଣ ରଖିଲେ ରାଜ୍ୟପାଳ

ଭୁବନେଶ୍ୱର : ଆଜିଠାରୁ ଚଳିତ ବର୍ଷର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ ଅଭିଭାଷଣ ରଖିଛନ୍ତି। ଦିବଂଗତ ସଦସ୍ୟ ଓ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଉଲ୍ଲେଖ କରିଛନ୍ତି ରାଜ୍ୟପାଳ। ଏହି ଅବସରରେ ସେ ପ୍ରଶାସନରେ ସ୍ଵଚ୍ଛତା ଓ ପାରଦର୍ଶିତା ଆଣିବା ଲାଗି ହାତକୁ ନିଆଯାଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ରାଜ୍ୟପାଳ କହିଲେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଲୋକଙ୍କ ସୁବିଧା ପାଇଁ ମୋ ସରକାର ଆରମ୍ଭ କରାଯାଇଛି। ୫-ଟି ଜରିଆରେ ଶାସନକୁ ଅଧିକ କ୍ରିୟାଶୀଳ କରାଯାଇଥିବା ବେଳେ ଶ୍ରୀମନ୍ଦିର ଭିତ୍ତିଭୂମି ବିକାଶକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ଚାଷୀଙ୍କ ଆୟ ବୃଦ୍ଧି ନାମନ୍ତେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଚାଷୀଙ୍କ ପାଇଁ କାଳିଆ ଓ ପିଲାଙ୍କ ପାଇଁ ଛାତ୍ରବୃତ୍ତିର ବ୍ୟବସ୍ଥା ହୋଇଛି। କୃଷି ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ଲାଗୁ ହୋଇଛି ମୁଖ୍ୟମନ୍ତ୍ରୀ କୃଷି ଶିଳ୍ପ ଯୋଜନା। କୃଷି କ୍ଷେତ୍ରକୁ ଜଳ ଯୋଗାଣ ଲାଗି ବହୁ ବ୍ୟାରେଜ ନିର୍ମାଣ ହୋଇଛି। କେନାଲ, ଉଠା ଜଳସେଚନ ଜରିଆରେ ଜଳ ଯୋଗାଣର ବ୍ୟବସ୍ଥା ହୋଇଥିବା ବେଳେ ପଶୁପାଳନ ଓ ମତ୍ସ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଜରିଆରେ ପ୍ରତି ଗରିବ ପରିବାରକୁ ମୁଣ୍ଡପିଛା ୫ କେଜି ଶସ୍ୟ ଯୋଗାଣ ହେଉଛି।

ସେହିପରି ସ୍ଵାସ୍ଥ୍ୟସେବାରେ ଉନ୍ନତି ପାଇଁ ବହୁ ଯୋଜନା ହାତକୁ ନିଆଯାଇଛି। କଟକ ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବାକୁ ପଦକ୍ଷେପ ନିଆଯାଇଛି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସେବା ମିଳୁଛି। ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ଦିଆଯାଉଛି। ମହିଳାଙ୍କୁ ସ୍ଵାବଲମ୍ବୀ କରିବାକୁ ମିଶନ ଶକ୍ତି କାମ କରୁଛି। ଓଡ଼ିଆ ଭାଷା, ସଂସ୍କୃତିର ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ କରାଯାଉଛି। ପାଇକ ବିଦ୍ରୋହ ସ୍ମାରକୀ ପାଇଁ ୧୦ ଏକର ଜମି ଦିଆଯାଇଛି। ୨୧୪ଟି ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ଆଉ ୩୬ଟି ଖୋଲିବ। ୫୭୬ଟି ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା କରାଯାଇଛି। ୪୧ ଲକ୍ଷ ଛାତ୍ରୀଛାତ୍ରଙ୍କୁ ସ୍କୁଲ ୟୁନିଫର୍ମ ଯୋଗାଣ କରାଯାଉଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦିଆଯାଇଛି। ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ମେଧାବୀଙ୍କୁ ବୃତ୍ତି ଦିଆଯାଉଛି। ନିର୍ମାଣ ଶ୍ରମିକଙ୍କ ପାଇଁ କ୍ଷତିପୂରଣ ୨ ଓ ୪ ଲକ୍ଷକୁ ବୃଦ୍ଧି ହୋଇଛି। ସ୍ଵାଭାବିକ ମୃତ୍ୟୁରେ ୨ ଲକ୍ଷ, ଦୁର୍ଘଟଣାରେ ମୃତ୍ୟୁ ପାଇଁ ୪ ଲକ୍ଷ ମିଳିବ। ୫୭୯୮ କିମି ନୂଆ ରାସ୍ତା ଓ ୨୦୬ ଟି ସେତୁ କରାଯାଇଛି ଫନୀରେ କ୍ଷତିଗ୍ରସ୍ତ ପୁରୀ ସହର ପାଇଁ ବହୁ କାର୍ଯ୍ୟ କରାଯାଉଛି। ଏହାଛଡ଼ା ଆସନ୍ତାବର୍ଷକୁ ସମ୍ପୂର୍ଣ୍ଣ ପେପରଲେସ୍‌ ବଜେଟ କରିବାକୁ ନିଷ୍ପତ୍ତି ନିଆଯାଇଥିବା ରାଜ୍ୟପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *