Wed. Feb 26th, 2020

ମୋବାଇଲ୍‌ ଆପରେ ଜନଗଣନା କଲେ ମିଳିବ ଅଧିକ ୭୫୦୦

ଭୁବନେଶ୍ୱର : ଜନଗଣନା ତଥ୍ୟ ସଂଗ୍ରହ ଏଥର ପାରମ୍ପରିକ କାଗଜ, କଲମ ସହିତ ଡିଜିଟାଲ ବ୍ୟବସ୍ଥାରେ କରାଯିବ। ଏଥିପାଇଁ ପ୍ରସ୍ତୁତ ହୋଇଛି ମୋବାଇଲ୍‌ ଆପ୍‌। ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଏହି ଆପ୍‌ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ଅପ୍‌ଲୋଡ୍‌ କରିପାରିବେ। ଉଭୟ ଅନଲାଇନ୍‌ ଓ ଅଫ୍‌ଲାଇନ୍‌ରେ ତଥ୍ୟ ଏହି ଆପ୍‌କୁ ବ୍ୟବହାର କରିହେବ। ସରକାର ଏଥିପାଇଁ ସ୍ୱତନ୍ତ୍ର ମୋବାଇଲ୍‌ ଦେବେନି। ଜନଗଣନାରେ ନିୟୋଜିତ କର୍ମଚାରୀ ନିଜ ସ୍ମାର୍ଟ ଫୋନ୍‌ ବ୍ୟବହାର କଲେ ମିଳିବ ଅଧିକ ୭୫୦୦ ଟଙ୍କା। କେବଳ କାଗଜ କଲମରେ ଜନଗଣନା ତଥ୍ୟ ସଂଗ୍ରହ ପାଇଁ କର୍ମଚାରୀଙ୍କୁ ୧୭ ହଜାର ୫ଶହ ଟଙ୍କା ଲେଖାଏଁ ଦିଆଯିବ। ମାତ୍ର ଯିଏ ନିଜ ସ୍ମାର୍ଟ ଫୋନରେ ମୋବାଇଲ୍‌ ଆପ୍‌ ଅପଲୋଡ୍‌ କରି ଜନଗଣନା ତଥ୍ୟ ସଂଗ୍ରହ କରିବେ ତାଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ରାଜ୍ୟ ଜନଗଣନା ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି।

ରାଜ୍ୟରେ ଜନଗଣନା ପ୍ରକ୍ରିୟା ଆରମ୍ଭ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଥିଲେ । ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଜନଗଣନା ତଥ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପ୍ରତି ୧୦ ବର୍ଷରେ ଥରେ ଜନଗଣନା ତଥ୍ୟ ପ୍ରକାଶ ପାଇଥାଏ। ଯାହାକି ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଏ। ତେଣୁ ଏହାକୁ ଠିକ୍‌ ଭାବେ ପ୍ରସ୍ତୁତ କରିବା ଦରକାର। ଏଥିରେ ଯେପରି କୌଣସି ତ୍ରୁଟି ନରୁହେ ସେଥିପାଇଁ ସମସ୍ତେ ସର୍ତକ ଓ ଯତ୍ନବାନ ହେବା ଆବଶ୍ୟକ। ଜନଗଣନା କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀ ଓ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଥମେ ବିସ୍ତୃତ ଭାବେ ଜାଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା) ପ୍ରଦୀପ୍ତ ମହାପାତ୍ର ଊପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା। ପ୍ରଥମ ପର୍ଯ୍ୟାୟ ଆସନ୍ତା ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪୫ ଦିନ ଧରି ଚାଲିବ। ଏଥିରେ ଘରଗୁଡ଼ିକୁ ତାଲିକାଭୁକ୍ତ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ୨୦୨୧ ଫେବ୍ରୁଆରୀ ୯ରୁ ୨୮ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଜନସଂଖ୍ୟା ଗଣନା କରାଯିବ। ୨୦୨୧ ମାର୍ଚ୍ଚ ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିବ।

Leave a Reply

Your email address will not be published. Required fields are marked *