Thu. Jan 23rd, 2020

କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ମାତ୍ର ଏକ ପ୍ରତିଶତ

ଭୁବନେଶ୍ଵର : କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ବାଦବିବାଦ ସୃଷ୍ଟି ହୋଇଛି। କିନ୍ତୁ ବାସ୍ତବରେ ଏମାନଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍‍। ରାଜ୍ୟ ସରକାରଙ୍କ ଏହି ଯୋଜନାରେ ପ୍ରଥମ ପର୍ଯ୍ୟ।ୟରେ ୫୧ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିଲେ। ଏମାନଙ୍କ ମଧ୍ୟରେ ପ୍ରାୟ ୪୦ହଜାର ରହିଛନ୍ତି ବଡଚାଷୀ, ଟିକସଦାତା, ସରକାରୀ କର୍ମଚାରୀ ଓ ପେନ୍‍ସନଭୋଗୀ। ତାହାଛଡା କାଳିଆ ଯୋଜନାରେ ସହାୟତା ପାଇଥିବା ୩ଲକ୍ଷ ହିତାଧିକାରୀଙ୍କ ପରିବାରରୁ ଏକାଧିକ ଉପକୃତ ହୋଇଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ସେମାନେ କୌଣସି ଅନୈତିକ ଉପାୟରେ ଅର୍ଥ ପାଇନାହାନ୍ତି। ଯେହେତୁ ଯୋଜନାରେ ଗୋଟିଏ ଚାଷୀ ପରିବାରର ଜଣଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଛି ତେଣୁ ଏହି ତିନିଲକ୍ଷ ହିତାଧିକାରୀଙ୍କୁ ଅଧିକ ଭାବେ ଦର୍ଶାଯାଉଛି। ସେମାନଙ୍କୁ ମିଳିଛି ୧୫୦କୋଟି ଟଙ୍କା। ଯାହାକୁ ପରବର୍ତ୍ତୀ ପର୍ଯ୍ୟ।ୟରେ ମିଳିବାକୁ ଥିବା କାଳିଆ ଅର୍ଥରେ ଆଡଜଷ୍ଟ କରାଯିବ। ତେଣୁ ରାଜକୋଷରୁ କୌଣସି ଅର୍ଥ ବେନିୟମ ଭାବେ ବ୍ୟୟ ହେବାର ସମ୍ଭାବନା ନାହିଁ। ଏହି ଯୋଜନାରେ ହିତାଧିକାରୀମାନଙ୍କ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ୍‍ ଖାତାକୁ ସିଧାସଳଖ ପଠାଇ ଦିଆଯାଇଥିବାରୁ ସହାୟତା ପ୍ରଦାନରେ କୌଣସି ପ୍ରକାର ବେନିୟମ ବି ହୋଇନାହିଁ। ଅର୍ଥ ନେଇଥିବା ହିତାଧିକାରୀଙ୍କ ସମସ୍ତ ବିବରଣୀ ସରକାରଙ୍କ ନିକଟରେ ରହିଥିବାରୁ କୌଣସି ସମୟରେ ସେମାନଙ୍କ ସହିତ ଯୋଗାଯୋଗ କରାଯାଇ ପାରିବ।

କାଳିଆ ଯୋଜନା ଘୋଷଣା ହେବାପରେ ଏଥିରେ ସାମିଲ ହେବାପାଇଁ ପ୍ରଥମେ ୧ କୋଟି ୧୯ ଲକ୍ଷ ଆବେଦନ ପଡିଥିଲା। ଯାଞ୍ଚପରେ ୭୦୦୦ ପଞ୍ଚାୟତରେ ଡ୍ରାଫ୍ଟ ତାଲିକା ଝୁଲା ଯାଇଥିଲା। ଅନେକ ହିତାଧିକାରୀ ଯୋଜନାରୁ ନିଜକୁ ବାଦ୍‍ ଦେବାପାଇଁ ପଞ୍ଚାୟତରେ ଆବେଦନ କରିବା ପରେ ସେମାନଙ୍କୁ ବାଦ୍‍ ଦିଆଯାଇଥିଲା। ହିତାଧିକାରୀ ଚୟନ ପାଇଁ ୫୦ହଜାରରୁ ଅଧିକ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ଏହିପରି ତିନି ସ୍ତରରେ ଚାଷୀଙ୍କ ଡାଟାବେସ୍‍କୁ ଯାଞ୍ଚ କରାଯାଇ ଚୂଡାନ୍ତ ତାଲିକାରେ ୫୧ଲକ୍ଷ ୫ହଜାର ଚାଷୀଙ୍କ ନାମ ସ୍ଥାନ ପାଇଥିଲେ। ଇତି ମଧ୍ୟରେ ୨ହଜାରରୁ ଅଧିକ ହିତାଧିକାରୀ ସେମାନେ ପାଇଥିବା ସହାୟତା ଅର୍ଥ ଫେରାଇବାକୁ ଅନୁରୋଧ କରିଛନ୍ତି। କାଳିଆ ଯୋଜନା ରାଜ୍ୟର କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ବ୍ୟକ୍ତିମାନଙ୍କ ଲାଗି ଉଦ୍ଦିଷ୍ଟ ହେଉଥିବା ବେଳେ ବିନା ମଧ୍ୟସ୍ଥିରେ ସରକାର ଏହି ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟକୁ ପଠାଉଛନ୍ତି। ତେଣୁ ଯୋଜନାରେ କୌଣସି ତ୍ରୁଟିବିଚ୍ୟୁତି କିମ୍ବା ଅର୍ଥ ହେରଫେର ହେବାର ନାହିଁ।

Leave a Reply

Your email address will not be published. Required fields are marked *