Thu. Jan 23rd, 2020

ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚକୁ ଲୋକାୟୁକ୍ତ ନୋଟିସ୍

ଭୁବନେଶ୍ୱର : ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ବିସ୍ତୃତ ରିପୋର୍ଟ ଅକ୍ଟୋବର ୧୭ତାରିଖ ସୁଦ୍ଧା ଦାଖଲ କର। ଏହି ମର୍ମରେ ଓଡ଼ିଶା ଲୋକାୟୁକ୍ତ ରାଜ୍ୟ କ୍ରାଇମବ୍ରାଞ୍ଚକୁ ନୋଟିସ୍ ଜାରି କରିଛନ୍ତି। ଲୋକାୟୁକ୍ତ ଏହି ମାମଲାର ଶୁଣାଣି ଅକ୍ଟୋବର ୨୧ତାରିଖରେ କରିବେ ବୋଲି ସୂଚନା ମିଳିଛି।

ମିଳିଥିବା ଖବର ଅନୁଯାୟୀ ସୂଚନାକର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ସୂଚନା ଅଧିକାର ଆଇନ ବଳରେ ଘଙ୍ଗାପାଟଣା ଜମି କେଳେଙ୍କାରୀ ତଥ୍ୟ ପାଇବାରେ ବିଫଳ ହେବାପରେ ଶ୍ରୀ ପ୍ରଧାନ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଘଙ୍ଗାପାଟଣା ସରକାରୀ ଜମିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କର ସମ୍ପୃକ୍ତ ଥିବା ଅଭିଯୋଗ ଉଠିଥିଲା। ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ୨୦୧୪ ଅଗଷ୍ଟ ୨୮ ତାରିଖରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜବରଦଖଲରେ ଥିବା ୭୬ଏକର ଜମିକୁ ଫେରସ୍ତ ଅଣାଯାଇଥିବା ନେଇ ସେହିବର୍ଷ ଅକ୍ଟୋବର ୧୫ତାରିଖରେ ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ କୌଣସି ପ୍ରଭାବଶାଳୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା କୁହାଯାଊଛି।

ଉଲ୍ଲେଖଯୋଗ୍ୟ ଗୋକର୍ଣ୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ନାଁରେ ବହୁ ସରକାରୀ ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ଉଠିଥିଲା। ସେହିପରି ବିଜେପି ନେତା କନକବର୍ଦ୍ଧନ ସିଂହଦେଓଙ୍କ ଝିଅ ନିବୃତ୍ତି ସିଂହଦେଓଙ୍କ କମ୍ପାନୀ ନିବୃତ୍ତି ଏକ୍ସପର୍ଟ ପ୍ରାଃ ଲିଃ ଏହି ଜମିକୁ ନେଇ ବିବାଦଘେରକୁ ଆସିଥିଲା।

Leave a Reply

Your email address will not be published. Required fields are marked *