ଆସାମରେ ୯୨ଟି ଆସନରେ ପ୍ରାର୍ଥୀଦେବ ବିଜେପି

ନୂଆଦିଲ୍ଲୀ : ଆସାମ ବିଧାନସଭା ନିର୍ବାଚନରେ ବିଜେପି ମେଣ୍ଟ ଦଳ ସହିତ ଆସନ ବୁଝାମଣା ଫର୍ମୁଲା ଚୂଡ଼ାନ୍ତ କରିଛି। ଏକା ୯୨ ଆସନରେ ପ୍ରାର୍ଥୀଦେବ କୁହାଯାଉଛି।
ଆସାମର ଦୁଇ ମିତ୍ର ଦଳ ‘ଆସୋମ ଗଣ ପରିଷଦ୍’ (ଏଜିପି) ଏବଂ ‘ୟୁନାଇଟେଡ୍ ପିପୁଲ୍ସ୍ ପାର୍ଟି ଲିବେରାଲ୍’ (ୟୁପିପିଏଲ୍) ସହିତ ଆସନ ବୁଝାମଣା କରିଛି ବିଜେପି। ବୁଝାମଣା ଅନୁଯାୟୀ ୧୨୬ ବିଧାନସଭା ଆସନରୁ ବିଜେପି ୯୨, ଏଜିପି ୨୬ ଓ ୟୁପିପିଏଲ୍ ୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆସନ ବୁଝାମଣା ଆପାତତଃ ଚୂଡ଼ାନ୍ତ ହୋଇଥିବା କଥା ବୁଧବାର ବିଜେପିର ମେଣ୍ଟ ଦଳମାନେ ସୂଚନା ଦେଇଥିଲେ। କିନ୍ତୁ ଶୁଣିବାକୁ ମିଳିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଆଲୋଚନା କରି ପ୍ରାୟ ୮୦ଟି ଆସନ ନିମନ୍ତେ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି।
ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ୨୭, ଏପ୍ରିଲ୍ ୧ ଓ ଏପ୍ରିଲ୍ ୬ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୭ଟି, ଦ୍ୱିତୀୟ ପର୍ଯ୍ୟାୟରେ ୩୯ଟି ଓ ତୃତୀୟ ପର୍ଯ୍ୟାୟରେ ୪୦ଟି ନିର୍ବାଚନ ମଣ୍ଡଳୀରେ ହେବ ଭୋଟ୍ ଗ୍ରହଣ। ପ୍ରଥମ ଚରଣ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୯ ଥିବାରୁ ଦିନେ ବା ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ବିଜେପି ସୂତ୍ରରୁ ଜଣାପଡିଛି।