ଆଗକୁ ଦ୍ୱିପାକ୍ଷିକ ଲଢେଇ : ସମୀର ମହାନ୍ତି

ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନର୍ବାଚନକୁ ବିଜେପି ପ୍ରସଙ୍ଗ ଭିତ୍ତିକ ଲଢେଇ କରିଥିଲା। ମୋଦି ସରକାର ହଜାର ହଜାର କୋଟି ଟଙ୍କା ଦେବା ସତ୍ୱେ ରାଜ୍ୟ ସରକାରଙ୍କ କୋଭିଡ-୧୯ କୁପରିଚାଳନା ଯୋଗୁଁ ଅମୂଲ୍ୟ ଜୀବନହାନୀ ହେବା, ଗରିବ କଲ୍ୟାଣକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର ବାଟମାରଣା ଓ ବ୍ୟାପକ ଭ୍ରଷ୍ଟାଚାର ଆଦିକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢୁଥିଲା। କରୋନା ସମୟରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡିଆ ଶ୍ରମିକ ଭାଇ ଭଉଣୀମାନଙ୍କୁ ରୋଜଗାରକ୍ଷମ ନକରାଇ ପ୍ରତାରଣା କରିବା ପ୍ରସଙ୍ଗ ଆମେ ଉଠାଇଥିଲୁ। କିନ୍ତୁ କଂଗ୍ରେସର କେବଳ ମିଥ୍ୟା ପ୍ରଚାର ଛଡା ଆଉ କୌଣସି ପ୍ରସଙ୍ଗ ନଥିଲା। ରାଜ୍ୟରେ ଏବେ କଂଗ୍ରେସ ଶକ୍ତିହୀନ ହୋଇପଡିଛି। ଉପନିର୍ବାଚନ ଏହାର ସଙ୍କେତ ଦେଇଛି। ଆଗାମୀ ନିର୍ବାଚନରେ ଓଡିଶା କଂଗ୍ରେସ ମୁକ୍ତ ହେବାବେଳେ ରାଜ୍ୟରେ କେବଳ ଦ୍ୱିପାକ୍ଷିକ ନିର୍ବାଚନ ହେବ। ଉପନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଲେ କରୋନା ମହାମାରୀ ସମୟରେ ରାଜ୍ୟରେ ଦୁଇଟି ଉପନିର୍ବାଚନ ଶେଷ ହୋଇଛି। ସଙ୍କଟ ସମୟରେ ଘରୁ ବାହାରି ନିଜ ମତ ସାବ୍ୟସ୍ତ କରିଥିବାରୁ ବାଲେଶ୍ୱର ଓ ତିର୍ତ୍ତୋଲବାସୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଆଉ ଜମମତକୁ ନମ୍ରତାର ସହ ସ୍ୱାକାର କରି ଲୋକଙ୍କ ରାୟଙ୍କୁ ସମ୍ମାନ ଜଣାଇଛନ୍ତି। ଏହାଛଡା ଦୁଇଟି ନିର୍ବାଚନରେ କଠିନ ପରିଶ୍ରମ କରିଥିବା ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ମହାନ୍ତି ସାଧୁବାଦ ଜଣାଇଛନ୍ତି। ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ସୁଦୃଢ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେବୁ ବୋଲି କହିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।