ଆଗ୍ନେୟଗିରି ପାଉଁଶରୁ ମିଳିଲା ୨୦୦୦ ବର୍ଷ ତଳର ଦେହାବଶେଷ

ନୂଆଦିଲ୍ଲୀ : ଇଟାଲିର ପମ୍ପେଇର ‘ମାଉଣ୍ଟ୍‌ ଭେଜୁଭିୟସ୍‌’ରୁ ପ୍ରାୟ ୨୦୦୦ ବର୍ଷ ତଳେ ଉଦ୍‌ଗୀରଣ ହୋଇଥିବା ଲାଭା ପାଉଁଶରୁ ଦୁଇଜଣ ବ୍ୟକ୍ତିଙ୍କର କଙ୍କାଳ-ଅବଶେଷ ଆବିଷ୍କାର ହୋଇଛି। ଇଟାଲିର ପ୍ରତ୍ନତାତ୍ତ୍ୱିକ ପାର୍କରେ ଗବେଷକମାନେ ରବିବାର ଏହା କହିଛନ୍ତି। ୭୯ ଶଦାବ୍ଦୀର ଏହି ଦେହାବଶେଷ ଜଣେ ଧନୀବ୍ୟକ୍ତି ଓ ତାଙ୍କ କ୍ରୀତଦାସଙ୍କର ବୋଲି ବିଶ୍ୱାସ କରାଯାଉଛି।

ଖବର ହେଲା ପମ୍ପେଇ ସୀମାନ୍ତ ଅଞ୍ଚଳରେ ଥିବା ଗ୍ରାଣ୍ଡ୍‌ ଭିଲ୍ଲା ଧ୍ୱଂସାବଶେଷ ଉତ୍‌ଖନନ ସମୟରେ ଏହି ଦେହାବଶେଷ ଦୁଇଟି ବାହାରିଛି। ୨୦୧୭ରେ ସମ୍ପୃକ୍ତ ଅଞ୍ଚଳରୁ ତିନୋଟି ଲଗାମ ଦିଆ ଘୋଡ଼ାଙ୍କର ଦେହାବଶେଷ ଆବିଷ୍କୃତ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କର କ୍ରୀତଦାସଙ୍କର ଦେହାବଶେଷ ପରସ୍ପର ପାଖାପାଖି ପଡ଼ିଥିବା ଆବିଷ୍କାର କରାଯାଇଛି। ଉଭୟ ପ୍ରାୟ ୬.୫ ଫୁଟ୍‌ ଗଭୀର ଧୂସର ପାଉଁଶ ସ୍ତର ମଧରେ ପୋତି ହୋଇଥିଲେ ବୋଲି ଜଣାପଡ଼ିଛି। ‘କ୍ରିପ୍ଟୋପୋଟିକସ୍‌’ ଭାବେ ଜଣାଶୁଣା ଭୂତଳ ବାରଣ୍ଡା ପାର୍ଶ୍ୱରେ ଥିବା ଏକ କୋଠରିରୁ ଦେହାବଶେଷ ଦୁଇଟି ଉଦ୍ଧାର କରାଯାଇଛି। କ୍ରୀତଦାସଟି ତରୁଣ ଓ ଧନୀ ବ୍ୟକ୍ତିଜଣକ ବୟସ୍କ ଥିବା କଥା ସେମାନଙ୍କ ପୋଷାକ ଓ ଚେହେରାରୁ ଅନୁମାନ କରାଯାଉଛି। ପ୍ରତ୍ନତତ୍ତ୍ୱବିତ୍‌ ମେସିମୋ ଓସାନା କହିଛନ୍ତି ସମ୍ଭବତଃ ଦୁହେଁ ସୁରକ୍ଷିତ ରହିବାକୁ ‘କ୍ରିପ୍ଟୋପୋଟିକସ୍‌’ରେ ଆଶ୍ରୟ ସନ୍ଧାନ କରୁଥିବା ବେଳେ ଆଗ୍ନେୟଗିରି ଉଦ୍ଗୀରଣ ଘଟିଥିଲା।

ମତାମତ ଦିଅନ୍ତୁ ।