ଆଇଏନ୍‌ଏସ୍‌ ଚେନ୍ନାଇରୁ ନିର୍ଭୁଲ୍‌ ଲକ୍ଷ୍ୟଭେଦ କଲା ‘ବ୍ରହ୍ମୋସ୍‌’ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ସୁପର୍‌ସୋନିକ୍ କ୍ରୁଜ୍ ମିସାଇଲ୍‌ ବ୍ରହ୍ମୋସ୍‌’ର ଆଜି ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ଆରବ ସାଗରରେ ଥିବା ଭାରତୀୟ ନୌସେନାର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ଚେନ୍ନାଇ’ରୁ ନିକ୍ଷେପ କରାଯାଇଥିବା ଏହି କ୍ଷେପଣାସ୍ତ୍ର ନିର୍ଭୁଲ୍‌ ଲକ୍ଷ୍ୟଭେଦ କରିଥିବା ଜଣାପଡିଛି।

ରାଡାର୍‌ରେ ଧରାପଡୁ ନଥିବା ‘ବ୍ରହ୍ମୋସ୍‌’ ଜଳପୃଷ୍ଠ ଉପରୁ ଖୁବ୍ ଦୂରରେ ଥିବା ଲକ୍ଷ୍ୟସ୍ଥଳ ଭେଦ କରିପାରୁଥିବାରୁ ‘ଆଇଏନ୍‌ଏସ୍‌ ଚେନ୍ନାଇ’ର ଅପରାଜେୟତାକୁ ସୁନିଶ୍ଚିତ କରିବ ବୋଲି ‘ଡିଆର୍‌ଡିଓ’ ପକ୍ଷରୁ କୁହାଯାଇଛି। ଭାରତ ଓ ରୁଷ୍‌ ମିଳିତ ଭାବେ ‘ବ୍ରହ୍ମୋସ୍‌’ର ବିକାଶ ଓ ନିର୍ମାଣ କରିଛନ୍ତି। ସେପ୍ଟେମ୍ବର ୩୦ ତାରିଖ ଦିନ ଓଡ଼ିଶାର ବାଲେଶ୍ଵର ଟେଷ୍ଟ୍‌ ରେଞ୍ଜ୍‌ରୁ ୪୦୦ କିଲୋମିଟର୍ ଦୂର ଲକ୍ଷ୍ୟଭେଦୀ ଏକ ‘ବ୍ରହ୍ମୋସ୍‌’ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା।

ଆଜିର ବ୍ୟବହାରିକ ପରୀକ୍ଷା ସଫଳ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଡିଆର୍‌ଡିଓ’, ‘ବ୍ରହ୍ମୋସ୍‌’ ଓ ‘ଭାରତୀୟ ନୌସେନା’କୁ ଅଭିନନ୍ଦନ ଜଣାଇଛନ୍ତି। ‘ଡିଡିଆର୍‌ ଆଣ୍ଡ୍‌ ଡି’ର ସଚିବ ତଥା ‘ଡିଆର୍‌ଡିଓ’ର ଅଧ୍ୟକ୍ଷ ଡକ୍ଟର୍ ଜି ସତୀଶ ରେଡ୍ଡୀ ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ, ‘ଭାରତୀୟ ନୌସେନା ଏବଂ ଶିଳ୍ପକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ‘ବ୍ରହ୍ମୋସ୍‌’ କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ସାମର୍ଥ୍ୟ ଆହୁରି ବଢ଼ାଇବ।

ମତାମତ ଦିଅନ୍ତୁ ।