ଆଇପିଏଲ୍-୨୦୨୦ର କ୍ରୀଡ଼ାସୂଚୀ ଘୋଷଣା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ଆଇପିଏଲର ୧୩ଶ ସଂସ୍କରଣର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି। ସେପ୍ଟେମ୍ବର ୧୯ ତାରିଖରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍। ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିୟନ୍ ରୋହିତ୍ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ମଧ୍ୟରେ ଖେଳାଯିବ। ମ୍ୟାଚ୍ ଭାରତୀୟ ସମୟାନୁସାରେ ରାତି ୭.୩୦ ମିନିଟରେ ଅନୁଷ୍ଠିତ ହେବ।

ସେପ୍ଟେମ୍ବର ୨୦ ତାରିଖରେ ଖେଳିବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ୨୧ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ୨୨ ତାରିଖରେ ମୁହାଁମୁହିଁ ହେବେ ଶାରଜାରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍। ଦୁବାଇରେ ଆଇପିଏଲର ସର୍ବାଧିକ ୨୪ଟି ମ୍ୟାଚ୍ ଖେଳାଯିବ। ଆବୁଧାବିରେ ୨୦ଟି ଓ ଶାରଜାରେ ୧୨ଟି ମ୍ୟାଚ୍ ଖେଳାଯିବ। ଆଇପିଏଲ୍ ପ୍ଲେ-ଅଫ୍ ଏବଂ ଫାଇନାଲ୍‌ ମୁକାବିଲାର ଆୟୋଜନ ସ୍ଥଳର ନାଁ ପରେ ଘୋଷଣା କରାଯିବ ବୋଲି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ କହିଛି।

ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ୫୩ ଦିନ ଧରି ଚାଲିବ। ନଭେମ୍ବର ୧୦ ତାରିଖରେ ହେବ ଫାଇନାଲ୍‌ ମ୍ୟାଚ। ଏଥର ଆଇପିଏଲରେ ୧୦ଟି ଡବଲ୍ ହେଡର୍ ବା ଦିନକରେ ଦୁଇଟି ମ୍ୟାଚ୍ ଖେଳାଯିବ। ଆୟୋଜକ ଆଇପିଏଲ୍‌ ମ୍ୟାଚକୁ ନିୟମିତ ସମୟରୁ ୩୦ ମିନିଟ୍ ଆଗୁଆ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରାହ୍ଣ ୪ଟା ବେଳେ ଖେଳାଯାଉଥିବା ମ୍ୟାଚ୍ ଏବେ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ। ସେହିପରି ରାତି ୮ଟାରେ ଖେଳାଯାଉଥିବା ମ୍ୟାଚ୍ ୭.୩୦ରେ ଖେଳାଯିବ।

ଆଇପିଏଲ୍ ସିଡ୍ୟୁଲ୍ ସହ ୭ଜଣ କମେଣ୍ଟେଟରଙ୍କ ନାଁ ଘୋଷଣା କରାଯାଇଥିବା ସୂଚନା ମିଳିଛି। ଏଥିରେ ସୁନୀଲ ଗାଭାସ୍କର, ଲକ୍ଷ୍ମଣ ଶିବରାମକ୍ରିଷ୍ଣା, ମୁରଲୀ କାର୍ତ୍ତିକ, ଦୀପ ଦାସଗୁପ୍ତା, ଅଞ୍ଜୁମ ଚୋପ୍ରା, ରୋହନ୍ ଗାଭାସ୍କର ଓ ହର୍ଷା ଭୋଗଲେ ସାମିଲ୍‌ ଅଛନ୍ତି। ଏମାନେ ସମସ୍ତେ ସେପ୍ଟେମ୍ବର ୧୦ ତାରିଖରେ ୟୁଏଇ ଗସ୍ତ କରିବେ।

ମତାମତ ଦିଅନ୍ତୁ ।