ଆଜିଠାରୁ କଟକ-ଭୁବନେଶ୍ୱରରେ ଲାଗୁହେବ ନାଇଟ୍‌ କର୍ଫ୍ୟୁ ଓ ୧୪୪ ଧାରା

0

ଭୁବନେଶ୍ୱର : କରୋନା ସଂକ୍ରମଣ ବାଢୁଥିବାରୁ ରାଜ୍ୟ ସରକାର କଟକଣାକୁ କଡାକଡି କରିଛନ୍ତି। ୧୦ଟି ଜିଲ୍ଲାରେ ନାଇଟ୍ କଫ୍ୟୁ ସହ ସପ୍ତାହାନ୍ତ ଲକଡାଉନ୍ ଘୋଷଣା ହୋଇଛି। ୨୦ଟି ଜିଲ୍ଲାର ସହରାଞ୍ଚଳରେ ଲାଗୁହେବ ନାଇଟ କର୍ଫ୍ୟୁ। ସେହି କ୍ରମରେ ଆଜିଠାରୁ କଟକ ଓ ଭୁବନେଶ୍ୱରରେ ରାତି ୯ଟାରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ। ଏହି ସମୟରେ ୧୪୪ ଧାରା ଜାରି ହେବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଛନ୍ତି ସୂଚନା।

ପୋଲିସ କମିଶନର କହିଛନ୍ତି ୧୪୪ ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ ବାରଣ କରାଯାଇଛି। କେବଳ ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କୁ ଯାତାୟତ ପାଇଁ ଅନୁମତି ରହିଛି। କଟକରେ ନାଇଟ୍‌ କର୍ଫ୍ୟୁ ବେଳେ ୨୩ଟି ସ୍ଥାନରେ ଚେକିଂ ପୋଷ୍ଟ ହେବ। ୧୦ ପ୍ଲାଟୁନ ପୋଲିସ ମୁତୟନ ହେବେ। ତେଣୁ ଅମାନିଆଙ୍କ ବିରୋଧରେ କାଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଲାଗୁହେବ ନାଇଟ୍‌ କର୍ଫ୍ୟୁ ଓ ୧୪୪ ଧାରା। ଡିସିପି ଉମାଶଙ୍କର ଦାଶ କହିଛନ୍ତି ଅତ୍ୟାବଶ୍ୟକ ସେବା ଯୋଗାଉଥିବା ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ସେମାନେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ। ରେଳ ଷ୍ଟେସନ ଓ ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ରହିଛି। ଜରୁରୀ ସ୍ଥିତିରେ ମେଡିକାଲ ଯିବାର ଥିଲେ ତତ୍‌ସମ୍ବନ୍ଧୀୟ କାଗଜପତ୍ର ଦେଖାଇବାକୁ ପଡିବ।

ସେ କହିଛନ୍ତି ଭୁବନେଶ୍ୱରରେ ୨୫ଟି ସ୍ଥାନରେ ବ୍ଲକିଂ ପଏଣ୍ଟ କରାଯାଇଛି। ଏହାଛଡା ପିସିଆର୍‌ ଗାଡ଼ି, ପାଟ୍ରୋଲିଂ ଗାଡ଼ି ଓ କର୍ଫ୍ୟୁ ଏନ୍‌ଫୋସ୍‌ମେଣ୍ଟ ଗାଡ଼ି ମୁତୟନ କରାଯାଇଛି। ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇ ୩ ଜଣ ଡିଏସ୍‌ପି ପାହ୍ୟା ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ବ୍ୟବସାୟ ପ୍ରତିଷ୍ଠାନ ସହିତ ଦୋକାନ ବଜାର ରାତି ୮ଟାରେ ସମସ୍ତ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ସେମାନେ ରାତି ୯ଟା ସୁଦ୍ଧା ନିଜେ ଘରେ ସୁରକ୍ଷିତ ଭାବେ ପହଞ୍ଚି ପାରିବେ ଓ ନାଇଟ୍‌ କର୍ଫ୍ୟୁ କଡ଼ାକଡ଼ି ଭାବେ ପାଳନ କରାଯାଇପାରିବ ବୋଲି ଡିସିପି କହିଛନ୍ତି।

Leave A Reply

Your email address will not be published.