ଆଳୁ ୯୨ ଓ ପିଆଜର ମୂଲ୍ୟ ୪୪ ପ୍ରତିଶତ ବଢ଼ିଛି

ନୂଆଦିଲ୍ଲୀ: ଚଳିତବର୍ଷ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି। ଗହମ ବ୍ୟତୀତ ଅନ୍ୟ ସମସ୍ତ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ଖାଉଟି ବ୍ୟାପାର ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ବର୍ଷକ ମଧ୍ୟରେ ଆଳୁ ୯୨ ପ୍ରତିଶତ ଓ ପିଆଜର ଦାମ ୪୪ ପ୍ରତିଶତ ବଢ଼ିଛି। ଗତ କିଛିଦିନ ମଧ୍ୟରେ ଆଳୁର ହାରାହାରି ହୋଲସେଲ ମୂଲ୍ୟ ୧୦୮ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କ୍ୱିଣ୍ଟାଲ ପିଛା ଦର ୧,୭୩୯ରୁ ୩,୬୩୩ ଟଙ୍କାରେ ପହଞ୍ଚିଛି।

ଶନିବାର ପିଆଜର ହୋଲସେଲ ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୬୪୫ ଟଙ୍କା ଥିଲା। ବର୍ଷକ ପୂର୍ବେ ଏହାର ଦାମ ଥିଲା ୧,୭୩୯ ଟଙ୍କା। ଯାହାକି ୪୭ ପ୍ରତିଶତ ବୃଦ୍ଧି ପାଇଛି। ଯଦି ଗତ ପାଞ୍ଚବର୍ଷ ମଧ୍ୟରେ ଆଳୁର ଖୁଚୁରା ଦରକୁ ଅନୁଧ୍ୟାନ କରାଯିବ ତେବେ ୧୫୮ ପ୍ରତିଶତ ବୃଦ୍ଧି ପାଇଛି। ଏହି ଅବଧିରେ ଆଳୁର ଦର କିଲୋ ପିଛା ମୂଲ୍ୟ ୧୬.୭ରୁ ୪୩ ଟଙ୍କାରେ ପହଞ୍ଚିଛି।

ଆଳୁ ଦାମ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନିୟମ କୋହଳ କରିଥିବା ବେଳେ ବିନା ଲାଇସେନ୍ସରେ ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ଭୁଟାନରୁ ଆଳୁ ଆମଦାନୀ ପାଇଁ ଅନୁମତି ଦେଇଛନ୍ତି। ସ୍ଥାନୀୟ ବଜାରରେ ଷ୍ଟକ ଅଧିକ କରିବାକୁ ଭୁଟାନରୁ ୩୦,୦୦୦ ଟନ୍ ଆଳୁ ଆମଦାନୀ ହେଉଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ସେ କହିଛନ୍ତି ସ୍ଥାନୀୟ ବଜାରରେ ଯୋଗାଣ ବୃଦ୍ଧି ତଥା ମୂଲ୍ୟକୁ ନିୟନ୍ତ୍ରଣ ପାଇଁ ଆମେ ପ୍ରାୟ ୧୦ ଲକ୍ଷ ଟନ୍ ଆଳୁ ଆମଦାନୀ କରାଯିବ।

ମତାମତ ଦିଅନ୍ତୁ ।